fbpx

ବିଶିଷ୍ଟ ସାଉଥ ଅଭିନେତା ପୂଜାପୁରା ରବିଙ୍କ ପରଲୋକ: ୪ ହଜାର ନାଟକ ଓ ୮ ଶହ ଫିଲ୍ମରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ: ଫିଲ୍ମ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବିଶିଷ୍ଟ ମାଲୟାଲମ ଅଭିନେତା ପୂଜାପୁରା ରବିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ରବିଙ୍କୁ ୮୩ ବର୍ଷ ବୟସ ହୋଇଥିଲା । କେରଳର ଇଦୁକ୍କୀ ଜିଲ୍ଲାର ମାରାୟୁର ସ୍ଥିତ ନିଜ ବାସଭବନରେ ରବି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଥିଏଟର ଅଭିନୟ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିବା ରବିଙ୍କ ବିୟୋଗ ନେଇ ତାଙ୍କର ଝିଅ ସୂଚନା ଦେଇଛନ୍ତି ।

ଗତ କିଛିମାସ ହେଲା ରବି ତାଙ୍କର ଝିଅଙ୍କ ସହିତ ମାରାୟୁରରେ ରହି ଆସୁଥିଲେ । ରବିଙ୍କ ମୃତଦେହକୁ ଥିରୁବନନ୍ତପୁରକୁ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ରବି କମେଡ଼ି ଭୂମିକାରେ ଅଭିନୟ କରି ଫିଲ୍ମ ଜଗତରେ ବେଶ୍ ପରିଚିତ ହୋଇପାରିଥିଲେ । ରବି ପାଖାପାଖି ୪ ହଜାର ନାଟକ ଓ ୮୦୦ ଫିଲ୍ମରେ ଅଭିନୟ କରିଥିଲେ । ରବିଙ୍କ ମୃତ୍ୟୁ ପରେ ରାଜ୍ୟର କଳା ଓ ସଂସ୍କୃତି କ୍ଷେତ୍ରରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବା କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଶୋକବାର୍ତ୍ତାରେ କହିଛନ୍ତି ।

ରବି ‘କଲ୍ଲନ କାପ୍ପାଲିଲ ଥାନ୍ନେ’, ‘ରାଓଡ଼ି ରାମୁ’, ‘ଓର୍ମାକଲ ମାରିକ୍କୁମୋ’, ‘ମାମ୍ମିନୀ ମାମ୍ମାଭନ’, ମୁଥାରମକୁନ୍ନୁ ପିଓ’, ‘ମାଝା ପେୟୁନ୍ନୁ ମାଧାଲମ କୋଟ୍ଟୁନୁ’ ଆଦି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ୧୯୬୨ରେ ରବି ‘ଭେଲୁଥାମ୍ପି ଡାଲାୱା’ ଫିଲ୍ମରେ ଡେବ୍ୟୁ କରିଥିଲେ । ଗତ ୨୦୧୬ରେ ସେ ଶେଷ ଥର ପାଇଁ ଫିଲ୍ମ ‘ଗୁପ୍ପି’ରେ ପରଦାରେ ଦେଖାଦେଇଥିଲେ ।

Get real time updates directly on you device, subscribe now.