fbpx

ବ୍ରାଜିଲ ଦଙ୍ଗା ଉପରେ ଏବେ ବିଶ୍ୱର ନଜର, ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଲେ..

ନୂଆଦିଲ୍ଲୀ :ରବିବାର ଦିନ ବ୍ରାଜିଲର ରାଜଧାନୀ ବ୍ରାଜିଲିଆରେ ହୋଇଥିବା ଦଙ୍ଗା ଏବଂ ଭଙ୍ଗାରୁଜା ଉପରେ ସାରା ବିଶ୍ୱ ଏବେ ନଜର ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପର୍ଯ୍ୟନ୍ତ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏହି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବ୍ରାଜିଲିଆରେ ସରକାରୀ ଅନୁଷ୍ଠାନ ବିରୋଧରେ ହୋଇଥିବା ଦଙ୍ଗା ଏବଂ ଭଙ୍ଗାରୁଜାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ବ୍ରାଜିଲ କର୍ତ୍ତୃପକ୍ଷଙ୍କୁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, “ବ୍ରାଜିଲିଆରେ ସରକାରୀ ଅନୁଷ୍ଠାନ ବିରୋଧରେ ଦଙ୍ଗା ଏବଂ ଭଙ୍ଗାରୁଜା ଖବର ଉପରେ ଅତ୍ୟଧିକ ଚିନ୍ତିତ। ସମସ୍ତେ ଗଣତାନ୍ତ୍ରିକ ପରମ୍ପରାକୁ ସମ୍ମାନ ଦେବା ଉଚିତ୍ । ବ୍ରାଜିଲ କର୍ତ୍ତୃପକ୍ଷଙ୍କୁ ଆମେ ଆମର ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛୁ। ”

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବ୍ରାଜିଲରେ ହୋଇଥିବା ‘ଗଣତନ୍ତ୍ର ଉପରେ ଆକ୍ରମଣ’ କୁ ନିନ୍ଦା କରିଛନ୍ତି। ବାଇଡେନ ଟ୍ୱିଟ୍ କରି କହିଛନ୍ତି, “ମୁଁ ଗଣତନ୍ତ୍ର ଉପରେ ହୋଇଥିବା ଆକ୍ରମଣ ଏବଂ ବ୍ରାଜିଲରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତାର ହସ୍ତାନ୍ତରକୁ ନିନ୍ଦା କରୁଛି। ବ୍ରାଜିଲର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକ ପାଇଁ ଆମର ସମ୍ପୂର୍ଣ୍ଣ ସମର୍ଥନ ଅଛି ଏବଂ ବ୍ରାଜିଲର ଲୋକଙ୍କ ଇଚ୍ଛା କ୍ଷୁର୍ଣ୍ଣ ହେବା ଉଚିତ୍ ନୁହେଁ।

ସେହିପରି “ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ‘ବ୍ରାଜିଲର ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ହୋଇଥିବା ଆକ୍ରମଣ’କୁ ନିନ୍ଦା କରିଛନ୍ତି। ବ୍ରାଜିଲର ଲୋକ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନର ଇଚ୍ଛାକୁ ସମ୍ମାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଗୁଟେରସ୍ ଟ୍ୱିଟ୍ କରି କହିଛନ୍ତି, “ମୁଁ ବ୍ରାଜିଲର ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରୁଛି। ବ୍ରାଜିଲର ଲୋକ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଇଚ୍ଛାକୁ ସମ୍ମାନ ଦେବା ଆବଶ୍ୟକ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହା ହେବ । ବ୍ରାଜିଲ ଏକ ମହାନ ଗଣତାନ୍ତ୍ରିକ ଦେଶ। ”

ସୂଚନାମୁତାବକ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ସମର୍ଥକମାନେ ରବିବାର ଦିନ ଦେଶର କଂଗ୍ରେସ ଭବନ, ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଛନ୍ତି। ଏକ ସପ୍ତାହ ପୂର୍ବରୁ, ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ବ୍ରାଜିଲର ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ୩୦ ଅକ୍ଟୋବରରେ ଅନୁଷ୍ଠିତ ନିର୍ବାଚନରେ ​​ସେ ବୋଲସନାରୋଙ୍କୁ ପରାସ୍ତ କରିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ଏବଂ ଭିଡିଓରେ ବୋଲସନାରୋ ସମର୍ଥକମାନେ ରବିବାର ଦିନ ସୁପ୍ରିମକୋର୍ଟ ଭବନରେ ଝରକା ଓ ଆସବାବପତ୍ର ଭାଙ୍ଗିଥିବାର ଦେଖିବାକୁ ମିଳିବ। ପ୍ରଦର୍ଶନକାରୀମାନେ କଂଗ୍ରେସ ଭବନର ଛାତ ଉପରକୁ ଚଢି ବୁଲୁଥିବା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ବ୍ରାଜିଲର ପତାକା ରଙ୍ଗ ସବୁଜ ଏବଂ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିଲେ ।ଏବେ ପୋଳିସ ଏଥିରେ ହସ୍ତକ୍ଷେପ କରିଛି । ସ୍ଥିତି କୁ ନିୟନ୍ତ୍ରଣରେ ଆଣିବା ପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କରୁଛି।

Get real time updates directly on you device, subscribe now.