“EMI ସୁଝ, ନହେଲେ ଭାଇରାଲ କରିଦେବି ଭିଡ଼ିଓ”, ସ୍ତ୍ରୀ ଗାଧୋଇବାର ଭିଡିଓ ରେକର୍ଡ କରି ବ୍ଲାକମେଲ୍ କଲା ସ୍ୱାମୀ
ଗାଧୋଇବା ସମୟର ଗୁପ୍ତ ଭିଡ଼ିଓ ଭାଇରାଲ କରିଦେବାକୁ ସ୍ୱାମୀ ଦେଲା ଧମକ!
ପୁଣେ: ଗାଧୋଇବା ସମୟର ଗୁପ୍ତ ଭିଡ଼ିଓ ଭାଇରାଲ କରିଦେବାକୁ ସ୍ୱାମୀ ଦେଲା ଧମକ, କରିଲା ବ୍ଲାକମେଲ। ପୁଣେରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଗାଧୋଇବା ସମୟରେ ଗୁପ୍ତ ଭାବେ ଭିଡିଓ ରେକର୍ଡ କରି ତାଙ୍କୁ କାରର ଇଏମଆଇ (EMI) ଚୁକାଇବା ପାଇଁ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୀଡିତା ପୁଣେର ଅମ୍ବେଗାଓଁ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କ ଅଜାଣତରେ ତାଙ୍କର ବ୍ୟକ୍ତିଗତ ମୁହୂର୍ତ୍ତର ଭିଡିଓ ରେକର୍ଡ କରିଥିଲେ। ପରେ ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଇ ସ୍ତ୍ରୀଙ୍କଠାରୁ କାରର ଇଏମଆଇ ଚୁକାଇବା ପାଇଁ ଟଙ୍କା ଦାବି କରିଥିଲେ।
ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଏହି ଭିଡିଓ ଜରିଆରେ ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିଲେ ଏବଂ ଟଙ୍କା ନ ଦେଲେ ଭିଡିଓକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଉଥିଲେ।
ଅମ୍ବେଗାଓଁ ଥାନାରେ ଦାୟର ହୋଇଥିବା ଅଭିଯୋଗ ପରେ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (IPC) ଏବଂ ଇନଫର୍ମେସନ ଟେକ୍ନୋଲୋଜି ଆକ୍ଟ (IT Act) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ଏବଂ ଘଟଣାର ଅଧିକ ତଦନ୍ତ କରୁଛି।