fbpx

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ କୃଷକଙ୍କ ପରିବାରକୁ ମିଳିବ ୧ କୋଟି ଟଙ୍କା, ଭଉଣୀଙ୍କୁ ମିଳିବ ସରକାରୀ ଚାକିରି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବେ ଥମି ନଥିବା ବେଳେ ଏ ନେଇ ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକ ଶୁଭକରଣଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିବ । ଏଥିସହିତ କୃଷକଙ୍କ ଛୋଟ ଭଉଣୀଙ୍କୁ ମଧ୍ୟ ସରକାରୀ ଚାକିରି ମିଳିବ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ।

ଏହି ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଲେଖିଛନ୍ତି, ମୃତ କୃଷକ ଶୁଭକରଣଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଏଥିସହିତ ଶୁଭକରଣଙ୍କ ଛୋଟ ଭଉଣୀଙ୍କୁ ମଧ୍ୟ ସରକାରୀ ଚାକିରି ପ୍ରଦାନ କରଯିବ । ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାର ତରଫରୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି ।

ସୂଚନାଯୋଗ୍ୟ ଯେ, ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ଅନ୍ୟ ଦାବିକୁ ନେଇ କୃଷକମାନେ ପଞ୍ଜାବ-ହରିୟାଣାର ସୀମାରେ ଗତ ୧୦ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଏହି ଆନ୍ଦୋଳନ ସମୟରେ ଜଣେ ୨୧ ବର୍ଷୀୟ କୃଷକ ଶୁଭକରଣଙ୍କ ମୃତ୍ୟୁ ଘଟିଥିବା ନେଇ କୃଷକମାନେ ଦାବି କରିଥିଲେ । ଏଥିସହିତ ଏହା ପୂର୍ବରୁ ବହୁ ଯବାନ ଆହତ ହେବା ସହିତ ଜଣେ ପୋଲିସ ଅଧିକାରୀ ମଧ୍ୟ ପ୍ରାଣ ହରାଇଥିଲେ । ଶୁଭକରଣଙ୍କ ପୋଷ୍ଟମର୍ଟ୍ରମ ରିପୋର୍ଟ ଆସିବା ପରେ ଏଫଆଇଆର ଦାୟର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ।

Get real time updates directly on you device, subscribe now.