fbpx

କରୋନା ଟିକା ନ ନେଲେ ବ୍ଲକ୍ କରାଯିବ ସିମ୍ କାର୍ଡ, ଏମିତି ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଟିକାକରଣ ଅଭିଯାନକୁ ପ୍ରୋତ୍ସାହନ ଦେବା ପାଇଁ ଲୋକଙ୍କୁ ଅନେକ ପ୍ରକାରର ପ୍ରଲୋଭନ ଦିଆଯାଉଛି । ଏପରିକି ଟିକା ନେଲେ ମାଗଣାରେ ବିୟର ଦିଆଯିବା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରି ସାରିଛନ୍ତି । କିନ୍ତୁ ଏହାର ଓଲଟା ପାକିସ୍ତାନରେ ସିମ କାର୍ଡ ବ୍ଲକ୍ କରିବାକୁ ଧମକ ଦିଆଯାଇଛି । ପାକିସ୍ତାନର ପଞ୍ଜାବ ରାଜ୍ୟ ସରକାର ଗୁରୁବାର ସେହି ଲୋକଙ୍କ ମୋବାଇଲ ସିମ କାର୍ଡ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି, ଯେଉଁମାନେ କରୋନା ଭ୍ୟାକ୍ସିନ ନେଉ ନାହାନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ପଞ୍ଜାବ ପ୍ରାନ୍ତର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ଯଶ୍ମିନ ରାଶିଦଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି ଯେ, ଯେଉଁ ଲୋକେ ଟିକା ନେବେ ନାହିଁ, ସେମାନଙ୍କର ସିମ୍ କାର୍ଡ ବ୍ଲକ କରି ଦିଆଯିବ । ଏହି ବୈଠକରେ ପ୍ରଶାସନିକ ଏବଂ ସୈନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଅଧିକାରୀ ଏହି ନିଷ୍ପତି ନେଇଛନ୍ତି ଯେ, ଜୁନ ୧୨ ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବର୍ଗଙ୍କ ଟିକାକରଣ ଆରମ୍ଭ ହେବ । ଉଲ୍ଲେଖନୀୟ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ପାକିସ୍ତାନ ୭୦ ମିଲିୟନ ଲୋକଙ୍କୁ ଟିକାକରଣର ଲକ୍ଷ୍ୟ ରଖିଛି ।

ରାଜ୍ୟ ସରକାର ପୂରା ରାଜ୍ୟରେ ଧର୍ମସ୍ଥଳୀଗୁଡିକ ବାହାରେ ମୋବାଇଲ ଟିକାକରଣ ଶିବିର ଆୟୋଜନ କରିବେ । ପ୍ରାଥମିକତା ଆଧାରରେ କ୍ୟାନସର ଓ ଏଡ୍‌ସ ପୀଡିତ ଲୋକଙ୍କ ଟିକାକରଣ କରାଯିବ । ଟିକା ଲଗାଇବା ପରେ ଲୋକେ ସିନେମା, ରେଷ୍ଟୁରାଂଟ ଓ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିବେ । ଏହି ନିଷ୍ପତି ସେହି ସମୟରେ ନିଆଯାଇଛି, ଯେତେବେଳେ ଜୁନ ୧୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବର୍ଗଙ୍କ ଟିକାକରଣ ଆରମ୍ଭ କରାଯିବାକୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.