ଭୁବନେଶ୍ୱର ପାଇଁ ସତର୍କ ଘଣ୍ଟି ବଜାଇଲା ପୁରୀ ଅଗ୍ନିକାଣ୍ଡ: ୟୁନିଟ-୧ ମାର୍କେଟରେ ନିଆଁ ଲାଗିଲେ ପରିସ୍ଥିତି ଅସମ୍ଭାଳ ହେବ, BMC କେବେ ଗୁହାରି ଶୁଣିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୮ ତାରିଖ ରାତି ପାଖାପାଖି ୭ଟା ସମୟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସର ତଳ ମହଲାରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ଏହି ନିଆଁ ସାରା ମାର୍କେଟକୁ ବ୍ୟାପିଯାଇଥିଲା । ୧୦ରୁ ଅଧିକ ଦମକକଳ ବାହିନୀ ଉପସ୍ଥିତ ରହି ସଂଘର୍ଷ ଚଳାଇଥିଲେ ହେଁ ନିଆଁ ଲିଭିବାର ନାଁ ଧରିନଥିଲା । ତେବେ ଦୀର୍ଘ ୩୬ ଘଣ୍ଟା ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଆଜି ପୁଣି ଥରେ ପୁରୀରେ ନିଳାଦ୍ରୀ ମାର୍କେଟ୍ କମ୍ପ୍ଲେକ୍ସରେ ନିଆଁ ଲାଗିଯାଇଥିଲା ।

ତେବେ ପୁରୀ ଅଗ୍ନିକାଣ୍ଡ ପରେ ଏବେ ରାଜଧାନୀ ଭୁବନେଶ୍ୱରକୁ ନେଇ ଚିନ୍ତା ବଢ଼ିଯାଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ ଥିଲେ ହେଁ ଯାତାୟାତ ସୁବିଧା ନଥିବାରୁ ପୁରୀରେ ନିଆଁ ବେଳକୁ ବେଳ ବଢ଼ିବାରେ ଲାଗିଥିଲା । ଅନୁରୂପ ଭାବେ ରାଜଧାନୀର ୟୁନିଟ-୧ ସ୍ଥିତ ମାର୍କେଟ ବିଲଡିଂ କଥା ନ କହିବା ଭଲ । ମାର୍କେଟ ମଧ୍ୟକୁ ଅଗ୍ନିଶମ ଗାଡ଼ି ପଶିବାକୁ ବାଟ ନାହିଁ । ଜବରଦଖଲ ସେଠାରେ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ବର୍ତ୍ତମାନ ଗ୍ରୀଷ୍ମ ସିଜିନ ଚାଲିଥିବା ବେଳେ ଦୁର୍ଭାଗ୍ୟକୁ ଯଦି ନିଆଁ ଲାଗେ ତେବେ ତାହାକୁ କିପରି ନିୟନ୍ତ୍ରଣ କରାଯିବ ।

ମାର୍କେଟକୁ ପ୍ରବେଶ କରିବାକୁ ଥିବା ରାସ୍ତାର ଦୁଇପଟକୁ ଉଠାଦୋକାନୀ କବଜା କରିନେଇଛନ୍ତି । ଅଗ୍ନିଶମ ଗାଡ଼ି କଥା ଛାଡ଼ନ୍ତୁ, ବାଇକ୍ ବଡ଼ କଷ୍ଟରେ ଯାଉଛି । ଏନେଇ ପ୍ରି-ପ୍ଲାନ କରାଯିବା ନିହାତି ଜରୁରୀ । ମାର୍କେଟ ଭିତରେ ବିଭିନ୍ନ ଦୋକାନରେ କୋଟି କୋଟି ଟଙ୍କାର ଜିନିଷ ରହିଛି, ଏପରି ସ୍ଥିତିରେ ଯଦି ନିଆଁ ଲାଗିବ ତେବେ ଏହା ସାରା ସହର ପ୍ରତି ବିପଦ ସୃଷ୍ଟି କରିବ । ୟୁନିଟ-୧ ହାଟର ନକ୍ସା ଏପରି ହୋଇଛି ଯେ ଜଣେ ଗୋଟିଏ ପଟେ ପଶିଲେ କେଉଁପଟେ ବାହାରିବ ସେନେଇ ଅଣନିଃଶ୍ୱାସୀ ହୋଇଯାଉଛି ।

ରାଜଧାନୀବାସୀଙ୍କୁ ଈଶ୍ୱର ସହାୟ ହୁଅନ୍ତୁ । ମାତ୍ର ଯଦି ଏପରି କିଛି ଘଟିଲା ତେବେ ପ୍ରଶାସନ କ’ଣ କରିବ । ଯଦି ପୁରୀରେ ପ୍ରଶାସନ କିଛି କରିପାରୁନି, ତେବେ ଭୁବନେଶ୍ୱରରେ ତ ବିପଦ କାହିଁ କେତେଗୁଣ ବଢ଼ିବା ଅବଶ୍ୟମ୍ଭାବୀ । ପୂର୍ବରୁ ହାଟ ଭିତରେ ଏକାଧିକ ଥର ନିଆଁ ଲାଗିଛି । ଏ କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସଜାଗ ହେବା ଜରୁରୀ । ତେବେ ଏହି ପ୍ରସଙ୍ଗରେ ବିଏମସି ସହ ମାର୍କେଟ ବିଭାଗର ଆଲୋଚନା ହୋଇଛି । ନିଆଁ ଲାଗିଲେ ପୂରା ମାର୍କେଟକୁ ପାଣି ଯୋଗାଇବାକୁ ୟୁନିଟ-୧ ଚାରିପାଖରେ ହାଇଡ୍ରା ପଏଣ୍ଟ ରହିବ । ସେଥିପାଇଁ ଖୁବଶୀଘ୍ର ଏକ ୱାଚ ଟାୱାର ଖୋଲିବା ନେଇ ବ୍ୟବସ୍ଥା କରାଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।