(Video) ‘ପୁଷ୍ପାରାଜ’ଙ୍କ ଆଖିରେ ଲୁହ… Jailରୁ ଫେରୁଥିଲେ ଅଲ୍ଲୁ ଅର୍ଜୁନ, ସ୍ତ୍ରୀଙ୍କୁ ଦେଖି ଭିଜିଗଲା ଆଖି

ଓଡ଼ିଶା ଭାସ୍କର: ଜେଲରୁ ମୁକୁଳିସାରିଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ । ଗୋଟିଏ ରାତି ଜେଲରେ କାଟିବା ପରେ, ଆଜି ସକାଳୁ ଘରକୁ ଫେରିଛନ୍ତି ‘ପୁଷ୍ପାରାଜ୍’ । ତେବେ ଅଲ୍ଲୁ ଆଜି ଜେଲରୁ ମୁକୁଳିବା ପରେ ତାଙ୍କୁ ତାଙ୍କ ବାପା ଓ ଶ୍ୱଶ୍ୱୁର ସ୍ୱାଗତ କରିବା ପାଇଁ ପହଞ୍ଚିଥିଲେ । କଡା ସୁରକ୍ଷା ଭିତରେ ଅଲ୍ଲୁ ଅର୍ଜୁନ୍ ଗୋଟିଏ କଳା ରଙ୍ଗର କାରରେ ବସି ଘରେ ପହଞ୍ଚିଥିଲେ । କିନ୍ତୁ ଘରେ ପହଞ୍ଚିବା ପରେ ପ୍ରଥମେ ତାଙ୍କ ସ୍ତ୍ରୀକୁ ଧରି କାନ୍ଦି ପକାଇଛନ୍ତି ଅଲ୍ଲୁ ଅର୍ଜୁନ । ଜେଲରୁ ଫେରିବା ପରେ ସ୍ତ୍ରୀଙ୍କୁ ଦେଖି ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏହାପରେ ସମସ୍ତଙ୍କୁ କ୍ଷମା ମାଗିବା ସହ ମୃତ ମହିଳାଙ୍କ ପରିବାରକୁ ମଧ୍ୟ ସାନ୍ତ୍ୱନା ଦେଇଛନ୍ତି ଅଲ୍ଲୁ ଅର୍ଜୁନ ।

ଖାଲି ଏତିକି ନୁହେଁ ଅଲ୍ଲୁ ଅର୍ଜୁନ୍ କହିଥିଲେ, ଚିନ୍ତା କଲା ଭଳି କୌଣସି କଥା ନାହିଁ । ମୁଁ ବର୍ତ୍ତମାନ ଠିକ୍ ଅଛି । ମୁଁ ଆଇନ୍ ଉପରେ ବିଶ୍ୱାସ ରଖିବା ଲୋକ । ଯେହେତୁ ଅଦାଲତରେ ଏହି କେସ୍ ଚାଲିଛି, ତେଣୁ ଏହା ଉପରେ ମୁଁ କୌଣସି ବି କମେଣ୍ଟ କରିବାକୁ ଚାହୁଁନି । ତେବେ ମୁଁ ନିଶ୍ଚୟ ଆଇନ୍ କାନୁନର ପାଳନ କରିବି ଏବଂ ପୋଲିସ୍ ସହ ସହଯୋଗ କରିବି ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ୍ । ଅନ୍ୟପଟେ ମୃତ ମହିଳାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଅଲ୍ଲୁ ଅର୍ଜୁନ୍ । ଯେଉଁ ମହିଳାଙ୍କ ଜୀବନ ଯାଇଛି, ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ୍ । ଏହି ଘଟଣା ଦୁର୍ଭାଗ୍ୟଜନକ ଥିଲା । ତେଣୁ ସେହି ପରିବାରକୁ ମୁଁ ଯଥାସମ୍ଭବ ସହାୟତା ପ୍ରଦାନ କରିବି ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ୍ । ଏହାସହ ଗଲା ୨୦ ବର୍ଷ ହେଲା ମୁଁ ଫିଲ୍ମ ହଲକୁ ଯାଉଛି, ହେଲେ ଏଥର କିନ୍ତୁ ଏହି ଘଟଣା ଗୋଟିଏ ଅନ୍ୟ ମୋଡ ନେଲା ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ୍ ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦରେ ପୁଷ୍ପା-୨ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳାଚକଟା କାରଣରୁ ଜଣେ ମହିଳା ପ୍ରାଣ ହରାଇଥିଲେ । ଯେଉଁ ମାମଲାରେ ଗତକାଲି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୋଲିସ୍ । ଏହାପରେ ଅଲ୍ଲୁ ଅର୍ଜୁନଙ୍କୁ ତଳ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ଜେଲକୁ ପଠାଇ ଦେଇଥିଲା । ହେଲେ ତେଲେଙ୍ଗାନା ହାଇକୋର୍ଟ କିନ୍ତୁ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ ।