fbpx
BSKY SKY
BSKY SKY

ଫାଶୀଦଣ୍ଡାଦେଶ ପାଇଥିବା ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

BSKY

ନୂଆଦିଲ୍ଲୀ: କତାର କୋର୍ଟ ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି । ତେବେ କତାରର ଏହି ଦଣ୍ଡାଦେଶ ବିରୋଧରେ ଭାରତ ସରକାର ପୂର୍ବରୁ ଅପିଲ କରିଥିବା ବେଳେ ଏବେ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତେବେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ଦୂତାବାସ ଅଧିକାରୀମାନେ ଭେଟିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି। ଆବେଦନ ପରେ ଏହି ମାମଲାରେ କୋର୍ଟରେ ଏପର୍ୟ୍ୟନ୍ତ ଦୁଇଟି ଶୁଣାଣି ହୋଇଛି।

ତେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅରିନ୍ଦମ ବାଗଚି କହିଛନ୍ତି, “ଆମ ରାଷ୍ଟ୍ରଦୂତ କନସୁଲାର ଆସେସ ପାଇଥିଲେ। ଏହାପରେ ସେ ଡିସେମ୍ବର ୩ରେ ସମସ୍ତ ୮ ବନ୍ଦୀଙ୍କୁ ଭେଟିଛନ୍ତି।” ଅକ୍ଟୋବର ମାସରେ ୮ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ବିରୋଧରେ ଭାରତ ସରକାର ଆବେଦନ କରିଛନ୍ତି। ଏ ସମ୍ପର୍କରେ ବାଗଚି କହିଛନ୍ତି, “ଏନେଇ ଦୁଇଟି ଶୁଣାଣି ହୋଇଛି। ଗୋଟିଏ ନଭେମ୍ବର ୨୩ରେ ଓ ଆଉ ଗୋଟିଏ ନଭେମ୍ବର ୩୦ରେ। ଆମେ ବେଶ ସତର୍କତାର ସହ ଘଟଣାକୁ ଅନୁସରଣ କରୁଛୁ। ସମସ୍ତ ଆଇଗତ ପଦକ୍ଷେପ ଗ୍ରହଣ କରୁଛୁ। ଏହା ଏକ ସମ୍ବେଦନଶୀଳ ଘଟଣା। କିନ୍ତୁ ଆମେ ଯଥା ସମ୍ଭବ ଏନେଇ ଚେଷ୍ଟା କରିବୁ।” ଖବୁଶୀଘ୍ର ଭାରତର ଆବେଦନ ଉପରେ ତୃତୀୟ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଏହା ସହ ବାଗଚି ଏକ ବଡ଼ ସନ୍ଦେଶ ଦେଇ କହିଛନ୍ତି, “ଆମେ ଦୁବାଇ ବୈଠକ ବେଳେ ଦେଖିବାକୁ ପାଇଛୁ ଯେ ପ୍ରଧାନମନ୍ତ୍ରୀ ମୋଦି କତାରର ଶେଖ ତାମିମଙ୍କୁ ଭେଟିଥିଲେ। ସେମାନେ ଦ୍ୱିପାକ୍ଷିକ ସମ୍ପର୍କ ଓ ଭାରତୀୟଙ୍କ ସୁରକ୍ଷା ସମ୍ପର୍କରେ କଥା ହୋଇଛନ୍ତି।” ଶେଖ ତାମିମଙ୍କ ସହ ମୋଦି କ’ଣ ସବୁ କଥା ହୋଇଛନ୍ତି, ସେ ବିଷୟରେ ବାଗଚି ବିସ୍ତୃତ ଭାବେ ସୂଚନା ଦେଇ ନାହାନ୍ତି। ହେଲେ ସୂତ୍ରରୁ ଜଣାପଡ଼ିଛି ଯେ ମୋଦି ୮ ଭାରତୀୟ ଅଧିକାରୀଙ୍କୁ ମିଳିଥିବା ଫାଶୀ ଦଣ୍ଡ ସମ୍ପର୍କରେ ସିଧାସଳଖ କତାର ଶାସକ ଶେଖ ତାମିମଙ୍କ ସହ ଆଲୋଚନା କରିଛନ୍ତି।

ସୂଚନା ଯୋଗ୍ୟ, ଭାରତର ଏହି ୮ ପୂର୍ବତନ ନୌସେନା କର୍ମଚାରୀ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ନେଇ କାତାର କୋର୍ଟରେ ଅଭିଯୋଗ ହୋଇଛି। ଯାହାକୁ ନେଇ ଅକ୍ଟୋବର ୨୬ରେ କତାର କୋର୍ଟ ଏହି ସମସ୍ତ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଗୁପ୍ତଚର କାର୍ୟ୍ୟ ଅଭିଯୋଗରେ ଫାଶୀଦଣ୍ଡାଦେଶ ପାଇଥିବା ଅଧିକାରୀ ହେଉଛନ୍ତି, କ୍ୟାପଟେନ ସୌରଭ ବଶିଷ୍ଠ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ ଓ ରାଜେଶ । ଏହି ଅଧିକାରୀମାନେ ଗତ ୧ ବର୍ଷରୁ ଅଧିକ ସମୟ ଧରି କତାରରେ ବନ୍ଦୀ ଭାବେ ରହିଛନ୍ତି । ମୃତ୍ୟୁଦଣ୍ଡ ପାଇଥିବା ଏହି ନୌସେନା କର୍ମଚାରୀଙ୍କୁ ଭେଟିବା ପାଇଁ ନିକଟରେ ଭାରତୀୟ ଦୂତାବାସକୁ କନସୁଲାର ସୁବିଧା ଉପଲବ୍ଧ କରାଯାଇଥିଲା। ଯାହା ପରେ ସେମାନେ ତାଙ୍କୁ ଯାଇ ସିଧାସଳଖ ଭେଟି କଥାବାର୍ତ୍ତା କରିଥିଲେ।

ଅନ୍ୟପଟେ ନଭେମ୍ବର ୨୪ରେ କାତାର କୋର୍ଟ ଫାଶୀ ଦଣ୍ଡ ବିରୋଧରେ ଭାରତ ସରକାର କରିଥିବା ଆବେଦନକୁ ବିଧିବଦ୍ଧ ଭାବେ ଗ୍ରହଣ କରିଥିଲେ। ସେହିପରି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିବା ବେଳେ ସେମାନଙ୍କୁ ମୁକ୍ତ କରିବାକୁ ଯଥାସମ୍ଭବ ଚେଷ୍ଟା ଅବ୍ୟାହତ ରହିଛି।

Get real time updates directly on you device, subscribe now.