fbpx

ମୋଦୀଙ୍କ ସହ ମଞ୍ଚରେ ରାଜେ, ଆଗାମୀ ବିଧାନସଭା ନିର୍ବାଚନ ଲାଗି ବିଜେପିର ରାଜସ୍ଥାନ ରୋଡମ୍ୟାପ୍ କୁ ନେଇ ଚର୍ଚ୍ଚା ଜୋରଦାର

Advertisement

ଆଜମେର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବୁଧବାର ରାଜସ୍ଥାନରେ ଥିଲେ । ଏହି ସମୟରେ ମୋଦୀଙ୍କ ସହ ମଞ୍ଚରେ ଦୀର୍ଘ ସମୟ ବ୍ୟବଧାନ ପରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ନଜର ଆସିଥିଲେ । ଏହି ଘଟଣା ଏବେ ଜୟପୁର ରାଜନୀତିରେ ହଲଚଲ ମଚାଇ ଦେଇଛି । ଅନୁମାନ କରାଯାଉଛି ଯେ, ବିଜେପି ଆଗାମୀ ବିଧାନସଭା ନିର୍ବାଚନରେ ବସୁନ୍ଧରା ରାଜେଙ୍କ ଚେହେରା ଉପରେ ପୁଣିଥରେ ମୋହର ମାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ବହୁଥର ରାଜସ୍ଥାନ ଯାତ୍ରା କରି ସାରିଲେଣି । ନାଥଦ୍ୱାର, ଦୌସା, ଭିଲୱାଡା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କିନ୍ତୁ ଏହି ସମସ୍ତ କାର୍ଯ୍ୟକ୍ରମରେ କେଉଁଠି ବି ବସୁନ୍ଧରା ରାଜେ ନଜର ଆସି ନ ଥିଲେ । ଆଜମେରରେ ବି ଏପରି ଦେଖା ଯାଇ ନ ଥିଲା । ତେବେ ଆଜମେରରେ ବୁଧବାର ହୋଇଥିବା ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବାର କିଛି ସମୟ ପୂର୍ବରୁ ବସୁନ୍ଧରା ରାଜେ ମଞ୍ଚରେ ପହଞ୍ôଚଥିଲେ । ତେବେ ଏହି ସଭାକୁ ପୂର୍ବ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି ନ ଥିଲେ । କିନ୍ତୁ ଯେଉଁପରି ଭାବରେ ସେ ପ୍ରତିପକ୍ଷ ନେତା ରାଜେନ୍ଦ୍ର ରାଠୋରଙ୍କୁ ଧକ୍କା ଦେଇ ମୋଦୀଙ୍କ ପାଖରେ ନିଜ ସ୍ଥାନ ବନାଇବାକୁ ପ୍ରୟାସ କରିଥିଲେ ଏହାପରେ ସମ୍ଭବତଃ କାହାର ଧ୍ୟାନ ଯାଇ ନ ଥିଲା ।

ତେବେ ନିଜ ନାମ ଗୋପନ ରଖି ବିଜେପିର ଜଣେ ବଡ ନେତା କହିଛନ୍ତି , ବସୁନ୍ଧରା ପାର୍ଟିର ସବୁଠାରୁ ବଡ ଚେହେରା ହୋଇ ରହିଛନ୍ତି । ସଚିନ୍ ପାଇଲଟ୍ଙ୍କର ରାଜେଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦଳ ତାଙ୍କୁ ଦୂରେଇ ରଖିଥିଲା କିନ୍ତୁ ରାଜସ୍ଥାନର ରାଜନୀତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଦୂରେଇ ଦେଇ ପାରି ନ ଥିଲା । ଏହି ବିଜେପି ନେତା ଆହୁରି ମଧ୍ୟ କହିଛନ୍ତି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ଲାଗି କୌଣସି ଆଶାୟୀଙ୍କ ନାମ ଆଗକୁ ନ ଆଣି ଦଳ ଏବେବି ଏଠାରେ ମୋଦୀଙ୍କ ଚେହେରାରେ ନିର୍ବାଚନ ଲଢି ପାରିବ ।

ବିଜେପିର ଅନ୍ୟ ଜଣେ ନେତା କହିଛନ୍ତି, ଦଳ ପାଖରେ ରାଜସ୍ଥାନରେ ବହୁ ବଡ ବଡ ଚେହେରା ରହିଛନ୍ତି । ଯେପରିକି ସିପି ଯୋଶୀ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ଓ ରାଜେନ୍ଦ୍ର ରାଠୋର ପ୍ରମୁଖ । ଦଳ ଭଲ ଭାବେ ଜାଣିଛି କଂଗ୍ରେସ ଏଠାରେ ଗତ ବିଧାନସଭା ନିର୍ବାଚନ ରାଜେଙ୍କୁ ହଟାଇବା ନାମରେ ହିଁ ଲଢିଥିଲା । ଏହି ସମୟରେ କଂଗ୍ରେସର ନାରା ଥିଲା ‘ମୋଦୀ ତୁଝସେ ବୈର ନେହିଁ:, ପର ରାନୀ ତେରୀ ଖୈର ନେହିଁ’ । ଦଳ ଏହା ମଧ୍ୟ ଜାଣିଛି ଯେ, ବସୁନ୍ଧରା ରାଜେଙ୍କ ଠାରେ ଫେରିବାର କ୍ଷମତା ରହିଛି । ବର୍ଷ ୨୦୦୩ ଓ ୨୦୦୧୩ରେ ସେ ଏହା ଦେଖାଇ ସାରିଛନ୍ତି ।

ଅନ୍ୟପକ୍ଷରେ କର୍ଣ୍ଣାଟକ ନିର୍ବାଚନ ପରିଣାମ ବି ରାଜେଙ୍କ ଚେହେରାକୁ ବାଜି ଲଗାଇବା ଅନ୍ୟ ଏକ କାରଣ । କର୍ଣ୍ଣାଟକ ନିର୍ବାଚନର ପ୍ରାୟ ୨ ବର୍ଷ ପୂର୍ବରୁ ବିଜେପି ରାଜ୍ୟର ସବୁଠାରୁ ବଡ ନେତା ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲା ଯାହା ଏଠାରେ ବିଜେପିର ହାରର ଅନ୍ୟତମ କାରଣ ହୋଇଥିଲା ବୋଲି ରାଜନୀତି ସମୀକ୍ଷକ ମାନେ ମତ ରଖିଲେ । ଏପରି ସ୍ଥିତିରେ ରାଜସ୍ଥାନରେ ନିଜ ଦଳର ସବୁଠାରୁ ବଡ ଚେହେରା ବସୁନ୍ଧରା ରାଜେଙ୍କୁ ଦଳ ଅଣଦେଖା କରି କର୍ଣ୍ଣାଟକ ଭୁଲର ପୁନରାବୃତ୍ତି କରିବାକୁ ଚାହୁଁନି ବୋଲି କୁହାଯାଉଛି ।

 

Get real time updates directly on you device, subscribe now.