ମାଟ୍ରିକ ଖାତା ଦେଖାରେ ଏ କିପ୍ରକାର ତ୍ରୁଟି, ହିନ୍ଦୀ ପ୍ରଶ୍ନପତ୍ର ନେଇ ସଂସ୍କୃତରେ ଉତ୍ତର ଲେଖିଛନ୍ତି ଛାତ୍ରଛାତ୍ରୀ

ମାଟ୍ରିକ ଖାତା ଦେଖିବା ବେଳେ ଦ୍ବନ୍ଦରେ ମୂଲ୍ୟାୟନକାରୀ ।

ଭୁବନେଶ୍ବର: ଜାରି ରହିଛି ମାଟ୍ରିକ ଖାତା ଦେଖା । ତେବେ ହିନ୍ଦୀ ଉତ୍ତର ଖାତା ଦେଖିବା ସମୟରେ ମୂଲ୍ୟାୟନକାରୀଙ୍କ ମୁଣ୍ଡ ଗୋଲ ହୋଇଯାଇଛି । କେତେକ ଛାତ୍ରଛାତ୍ରୀ ହିନ୍ଦୀ ପ୍ରଶ୍ନପତ୍ର ନେଇ ସଂସ୍କୃତରେ ଉତ୍ତର ଲେଖିଛନ୍ତି । ତେବେ ଉତ୍ତର ଖାତା ଦେଖିବା ବେଳେ ମୂଲ୍ୟାୟନକାରୀ ଶିକ୍ଷକ ଦ୍ବନ୍ଦରେ ପଡିଯାଇଛନ୍ତି ।

ତେବେ ପ୍ରଶ୍ନ ପତ୍ର ସହିତ ଉତ୍ତର ଖାତାର ତାଳମେଳ ନଥିବା ନେଇ ମୂଲ୍ୟାୟନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ଏକ ପ୍ରକାର ବିବାଦୀୟ ବିଷୟ ସାଜିଥିବା ବେଳେ ଶିକ୍ଷକମାନେ ଉତ୍ତର ଖାତା ଦେଖିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ଜଣାପଡିଛି ।

ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 10 ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ତେବେ ତୃତୀୟ ଭାଷା ହିନ୍ଦୀ ଏବଂ ସଂସ୍କୃତ ମଧ୍ୟରୁ ଗୋଟିଏ ଫର୍ମ ପୂରଣ ପାଇଁ କହିଥିଲେ । ତେବେ ଆବଶ୍ୟକ ପ୍ରଶ୍ନପତ୍ର ଅନୁସାରେ, ଛପାଯାଇ ରାଜ୍ୟର 2 ହଜାର 979 ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା ।

ତେବେ ଫର୍ମ ପୂରଣ ହିସାବରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ବଣ୍ଟା ଯାଇଥିଲା । ହେଲେ ଛାତ୍ରଛାତ୍ରୀ ହିନ୍ଦୀ ପେପରରେ କାହିଁକି ସଂସ୍କୃତ ଉତ୍ତର ଲେଖିଲେ ଏବଂ ପ୍ରଶ୍ନପତ୍ର କେଉଁଠାରୁ ଆଣିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମୂଲ୍ୟାଙ୍କନ ପ୍ରକ୍ରିୟାରେ ଦ୍ବନ୍ଦଥିବା ଖାତା ଗୁଡିକ ବୋର୍ଡ କାର୍ଯ୍ୟାଳୟକୁ ପଠାଯିବ ବୋଲି ସୂଚନା ରହିଛି ।