fbpx

ସୀମିତ ଓଭର କ୍ରିକେଟରେ ଅଶ୍ୱିନ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେବାକୁ ଯାଉଛନ୍ତି: ରୋହିତ ଶର୍ମା

ନୂଆଦିଲ୍ଲୀ : ଭାରତୀୟ ଦିନିକିଆ ଦଳର ନୂତନ ଅଧିନାୟକ ରୋହିତ ଶର୍ମାଙ୍କ ମତରେ ଅନୁଭବୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଗାମୀ ବର୍ଷରେ ସୀମିତ ଓଭର କ୍ରିକେଟରେ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେବାକୁ ଯାଉଛନ୍ତି । ଅଶ୍ୱିନ ୪ ବର୍ଷ ପରେ ଟି-୨୦ ବିଶ୍ୱ କପ ସହିତ ସୀମିତ ଓଭର କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ବିଶ୍ୱ କପ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଜବରଦସ୍ତ ବୋଲିଂ କରିଛନ୍ତି ।

ରୋହିତ ଶର୍ମା ଆର ଅଶ୍ୱିନଙ୍କୁ ଅଲରାଉଣ୍ଡର ବୋଲର ଦର୍ଶାଇ କହିଛନ୍ତି, କୌଣସି ବି ପିଚ୍ ଏବଂ ପରିବେଶରେ ଅଶ୍ୱିନ ବୋଲିଂ କରି ପାରିବେ । ଅଶ୍ୱିନ ବୋଲର ହିସାବରେ ଆପଣଙ୍କ ପାଇଁ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଆପଣ ତାଙ୍କୁ ପାୱାର ପ୍ଲେ କିମ୍ବା ମଝି ଓଭରରେ ବ୍ୟବହାର କରି ପାରିବେ । ଏଥିପାଇଁ ଦଳରେ ଏମିତି ବୋଲର ରହିବା ଉଚିତ୍, ଯିଏ ବୋଲିଂରେ ଅଲରାଉଣ୍ଡର ହୋଇ ପାରୁଥିବେ । ଯିଏ କୌଣସି ବି ସ୍ଥିତିରେ, କେବେ ବି ଏବଂ କୌଣସି ସ୍ଥାନରେ ବି ବୋଲିଂ କରି ପାରିବେ ବୋଲି ରୋହିତ କ୍ରୀଡା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ସହ ସ୍ୱତନ୍ତ୍ର ଆଲୋଚନା ବେଳେ କହିଛନ୍ତି ।

ରୋହିତ ଏହା ମଧ୍ୟ କହିଛନ୍ତି, ଆପଣ ଗୋଟିଏ ପ୍ରକାରର ବୋଲିଂ କରି ପାରିବେ ନାହିଁ । ଅଶ୍ୱିନ ପାୱାର ପ୍ଲେ ପରେ ମଧ୍ୟ ବୋଲିଂ କରି ପାରିବେ । ସେ ଡେଥ ଓଭର ହେଉ କି ବାମହାତୀ ବା ଡାହାଣହାତୀ ବ୍ୟାଟସମ୍ୟାନ ହେଉ, ଅଶ୍ୱିନଙ୍କ ପାଖରେ ବୋଲିଂର ଅନେକ ବିବିଧତା ରହିଛି । ମୋତେ ବିଶ୍ୱାସ ଯେ, ସୀମିତ ଓଭର କ୍ରିକେଟରେ ଅଶ୍ୱିନ ଦୀର୍ଘ ସମୟ ରହି ପାରନ୍ତି ।

ଅଶ୍ୱିନଙ୍କୁ ଟି-୨୦ ବିଶ୍ୱ କପରେ ୩ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲା । ଏଥିରୁ ସେ ୬ ୱିକେଟ୍ ନେଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ୨ଟି ଟେଷ୍ଟରେ ୧୪ ୱିକେଟ୍ ନେଇଥିଲେ । ଅଶ୍ୱିନ ଚଳିତ ବର୍ଷ ଟେଷ୍ଟରେ ସବୁଠୁ ଅଧିକ ୫୨ ୱିକେଟ୍ ନେଇଛନ୍ତି ।

 

Get real time updates directly on you device, subscribe now.