fbpx

ଫ୍ରେଞ୍ଚ ଓପନ ଟାଇଟଲ୍ ଜିତିଲେ ନାଡାଲ

ନୂଆଦିଲ୍ଲୀ: ଦୃଢ଼ ମନୋବଳ, ସାହସ, ଅଧ୍ୟବସାୟ ବଳରେ ଅସମ୍ଭବକୁ ବି ସମ୍ଭବ କରିହେବ ଏହାକୁ ପ୍ରମାଣିତ କରିଛନ୍ତି ସ୍ପେନର ଟେନିସ ତାରକା ରାଫେଲ ନାଡାଲ । ୩୬ ବର୍ଷ ବୟସରେ ଉପନୀତ ହୋଇଥିବା ରାଫେଲ ନାଡାଲ ଯେ ‘ଲାଲ ମାଟିର ବାଦଶାହ’ ଏହାକୁ ସେ ପୁଣି ଥରେ ପ୍ରମାଣିତ କରିପାରିଛନ୍ତି । ଆଜି ନାଡାଲ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ନରୱେର କୈସ୍ପର ରୂଡଙ୍କୁ ୬-୩, ୬-୩, ୬-୦ ସେଟରେ ହରାଇ ନିଜର ପ୍ରଚଣ୍ଡ ପ୍ରତିଭାର ପରିଚୟ ଦେଇଛନ୍ତି । ଏହି ବିଜୟ ଫଳରେ ନାଡାଲ ୧୪ ଥର ପାଇଁ ଫ୍ରେଞ୍ଚ ଓପନ ନିଜ ନାମରେ ଯୋଡ଼ିଛନ୍ତି ।

ଆଜିର ମ୍ୟାଚ ନାଡାଲ-ରୂଡଙ୍କ ମଧ୍ୟରେ ୨ଘଣ୍ଟା ୧୮ ମିନିଟ୍ ଧରି ଟକ୍କର ଚାଲିଥିଲା । ନାଡାଲଙ୍କର ଏହା ୧୪ତମ ଫ୍ରେଞ୍ଚ ଓପନ ଟାଇଟଲ ହୋଇଥିବା ବେଳେ ମୋଟ ଉପରେ ୨୨ତମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଥିଲା । ଶାନଦାର ପ୍ରଦର୍ଶନ କରି ପ୍ରଥମ ସେଟରେ ନାଡାଲ ୬-୩ରେ ଆଗରେ ରହିଥିଲେ । ସେହିପରି ଦ୍ୱିତୀୟ ସେଟରେ ନାଡାଲ ୬-୩ରେ ଜିତିବା ପରେ ତୃତୀୟ ସେଟଟି ରୂଡଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ମାତ୍ର ତୃତୀୟ ସେଟରେ ୬-୬ରେ ପରାଜୟ ବରଣ କରିବା ସହ ରୂଡଙ୍କ ଫ୍ରେଞ୍ଚ ଓପନ ଟାଇଟଲ ଜିତିବା ସ୍ୱପ୍ନ ଅଧୁରା ରହିଯାଇଥିଲା । ବର୍ତ୍ତମାନ ସୁଦ୍ଧା ନାଡାଲ ୧୪ଟି ଫ୍ରେଞ୍ଚ ଓପନ, ୪ଟି ୟୁଏସ ଓପନ, ୨ଟି ଅଷ୍ଟ୍ରେଲିଆନ ଓପନ ଓ ୨ଟି ୱିମ୍ବଲଡନ ଟାଇଟଲ ଜିତିଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଫ୍ରେଞ୍ଚ ଓପନ ଫାଇନାଲରେ ନାଡାଲ ପରାଜୟ ବରଣ କରିନାହାନ୍ତି, ଏହା ହିଁ ତାଙ୍କୁ ଲାଲ ମାଟିରେ ଅପ୍ରତିଦ୍ୱନ୍ଦ୍ୱୀ ପ୍ରମାଣିତ କରିଛି ।

Get real time updates directly on you device, subscribe now.