fbpx

ସାନ୍ ଫ୍ରାନସିସକୋରେ ରାହୁଲଙ୍କ ମୋଦୀଙ୍କୁ ନିଶାନା, କହିଲେ ଆମେ ପ୍ରେମ ବଦଳରେ ଘୃଣାକୁ ହରାଇବା

Advertisement

ସାନ୍ ଫ୍ରାନସିସକୋ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଆମେରିକା ଗସ୍ତରେ ଯାଇ ସାନ୍ ଫ୍ରାନସିସକୋରେ ପହଞ୍ଚିଛନ୍ତି । ସେଠାରେ  ସେ ଭାରତୀୟଙ୍କୁ ଭେଟିବା ସହ ସେମାନଙ୍କୁ ସମ୍ବୋଧିତ ମଧ୍ୟ କରିଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧି ନୂଆ ସଂସଦ ଭବନ, ଭାରତରେ ମୁସଲିମଙ୍କ ଉପରେ ହେଉଥିବା ଅତ୍ୟାଚାର, ବିଭିନ୍ନ ଏଜେନ୍ସୀମାନଙ୍କ ବ୍ୟବହାର ସହିତ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ମୋଦି ସରକାରକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ରାହୁଲ କହିଛନ୍ତି ମୋଦୀ ଭାବୁଛନ୍ତି ଯେ, ତାଙ୍କୁ ସମସ୍ତଙ୍କ ବିଷୟରେ ସବୁକିଛି ଜଣା । ଏପରିକି ସେ ଭଗବାନଙ୍କୁ ବି ବ୍ରହ୍ମାଣ୍ଡ ବିଷୟରେ ବୁଝାଇ ପାରିବେ ।

ରାହୁଲ କହିଛନ୍ତି ମୋତେ ଲାଗୁଛି ନୂଆ ସଂସଦ ଭବନର ଉଦଘାଟନ ଦେଶର ଅସଲ ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ଯୋଜନାବଦ୍ଧ ଭାବରେ କରାଯାଇଛି । ଦେଶରେ ବେରୋଜଗାରୀ, ଦରଦାମ୍ ବୃଦ୍ଧି, ସାଂପ୍ରଦାୟିକ ହିଂସା, ଶିକ୍ଷା ସଂସ୍ଥାନର ଅଭାବ ପରି ପ୍ରସଙ୍ଗ ଉପରେ ବିଜେପି ଚର୍ଚ୍ଚା କରିବାକୁ ଚାହୁଁନାହିଁ । ଏଣୁ ସଂସଦ ଭବନ ଉଦଘାଟନ ପରି ପ୍ରସଙ୍ଗକୁ ଆଗକୁ ଅଣାଯାଉଛି ।

ଦେଶରେ ମୁସଲିମଙ୍କ ଉପରେ ଅତ୍ୟାଚାର ଉପରେ ରାହୁଲ କହିଛନ୍ତି, ଆମେ ‘ନଫରତ ବଜାରରେ ମୋହବତ କି ଦୋକାନ ଖୋଲେଙ୍ଗେ’ । ମୁସଲମାନ ମାନଙ୍କୁ ଲାଗୁଛି ସେମାନଙ୍କ ଉପରେ ଅଧିକ ଆକ୍ରମଣ ହେଉଛି । କିନ୍ତୁ ଶିଖ୍, ଦଳିତ, ଆଦିବାସୀ ସମସ୍ତେ ଏପରି ଅନୁଭବ କରୁଛନ୍ତି । ସମସ୍ତଙ୍କ ମନରେ ପ୍ରଶ୍ନ ଦେଶରେ କଣ ଚାଲିଛି । ମୁସଲମାନମାନେ ଏହା ଅଧିକ ଅନୁଭବ କରୁଛନ୍ତି କାରଣ ସେମାନଙ୍କୁ ଅଧିକ କେନ୍ଦ୍ରିତ କରାଯାଉଛି । କିନ୍ତୁ ଆମେ ଘୃଣାକୁ ଘୃଣାରେ ହରାଇ ପାରିବା ନାହିଁ । ଆମେ ପ୍ରେମ ବଦଳରେ ଘୃଣାକୁ ହରାଇବା । ଭାରତ ଘୃଣାରେ ବିଶ୍ୱାସ ରଖେ ନାହିଁ । ଆଜି ଭାରତରେ ମୁସଲମାନଙ୍କ ସହ ଯାହା ହେଉଛି ତାହା ଉତ୍ତର ପ୍ରଦେଶରେ ଦଳିତଙ୍କ ସହ ହେଉଥିଲା । କିନ୍ତୁ ଆମେ ଏହାକୁ ଆହ୍ୱାନ ଭାବରେ ନେଇ ଏହା ବିରୁଦ୍ଧରେ ଲଢିବା ।

ଅନ୍ୟପକ୍ଷରେ ରାହୁଲଙ୍କୁ ଯେତେବେଳେ ମହିଳାଙ୍କ ଆରକ୍ଷଣ ଓ ସୁରକ୍ଷା ଉପରେ ପ୍ରଶ୍ନ କରାଯାଇଥିଲା ସେତେବେଳେ ରାହୁଲ କହିଥିଲେ ମହିଳାଙ୍କ ଆରକ୍ଷଣ ଉପରେ ଆମେ ବିଲ୍ ଆଣିବାକୁ ଯାଉଥିଲୁ କିନ୍ତୁ ଆମର କିଛି ସହଯୋଗୀ ରାଜି ହୋଇ ନ ଥିଲେ । ତେଣୁ ଏହା ଅଟକି ଯାଇଥିଲା । ଆମେ ଶାସନକୁ ଆସିଲେ ନିଶ୍ଚୟ ଏହି ବିଲ୍ ପାସ୍ କରାଇବୁ । ସେ କହିଛନ୍ତି ଯେତେବେଳେ ଆମେ ମହିଳାଙ୍କୁ ସଶକ୍ତ କରିବା, ସେମାନଙ୍କୁ ସରକାରରେ ଅଧିକ ମାତ୍ରାରେ ସ୍ଥାନ ଦେବା, ବିଜନେସ୍ରେ ସ୍ପେସ୍ ଦେବା, କ୍ଷମତା ଦେବା ସେତେବେଳେ ସେମାନଙ୍କୁ ଆପେ ଆପେ ସୁରକ୍ଷା ମିଳିଯିବ ।

ରାହୁଲ ଆହୁରି କହିଥିଲେ ଭାରତରେ ଏବେ ରାଜନୀତିର ସ୍ୱଭାବିକ ଧାରାଗୁଡିକ କାମ କରୁନାହିଁ । ଯେପରିକି ଜନସଭା, ଲୋକଙ୍କ ସହ ଆଲୋଚନା, ର୍ୟାଲି ଇତ୍ୟାଦି । ଆମକୁ ରାଜନୀତି ଲାଗି ଯେଉଁସବୁ ସଂସାଧନର ଆବଶ୍ୟକ ପଡୁଛି ତାହାକୁ ଏବେ ବିଜେପି ନିୟନ୍ତ୍ରିତ କରୁଛି । ଲୋକଙ୍କୁ ଏବେ ଧମକ ଦିଆଯାଉଛି, ଏଜେନ୍ସୀଙ୍କ ବ୍ୟବହାର କରାଯାଉଛି । ମୋତେ ଲାଗୁଛି ଭାରତରେ ଏବେ ରାଜନୀତି କରିବା ଏତେ ସହଜ ନୁହେଁ । ଏଣୁ ଆମେ ଭାରତ ଯୋଡ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛୁ ।

ରାହୁଲ ଗାନ୍ଧୀ କହିଛନ୍ତି ବିଜେପି ଆମ ଭାରତ ଯୋଡ ଯାତ୍ରାକୁ ଅସଫଳ କରିବା ଲାଗି ସଂପୂର୍ଣ୍ଣ ଭାବରେ ଚେଷ୍ଟା କରିଛି । ଏଥିପାଇଁ ପୋଲିସ ଓ ଏଜେନ୍ସୀ ଉପଯୋଗ କରାଯାଇଛି କିନ୍ତୁ ସେମାନେ ସମସ୍ତ ଚେଷ୍ଟାରେ ଅସଫଳ ହୋଇଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି ଏ ଦୁନିଆ ଏତେ ବଡ ଯେ, କେହି ବି ଏଠି କହିପାରିବ ନାହିଁ କି ସେ ସମସ୍ତଙ୍କ ବିଷୟରେ ସବୁକିଛି ଜାଣିଛି ବୋଲି । ଭାରତରେ କିଛି ଲୋକ ଏପରି ଭାବୁଛନ୍ତି । ଏହା ଏକ ରୋଗ ପରି । ସେମାନେ ଭଗବାନଙ୍କ ଠାରୁ ଅଧିକ ଜାଣିଛନ୍ତି ବୋଲି ଭାବୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ।

Get real time updates directly on you device, subscribe now.