fbpx

ତାଳି-ଥାଳୀ ବହୁତ ହୋଇଗଲା, ଏବେ ଦେଶକୁ ଟିକା ଦିଅ: ରାହୁଲ ଗାନ୍ଧୀ

Advertisement

ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ଦେଶରେ କରୋନାକୁ ମାତ୍ ଦେବାପାଇଁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ହେଲେ କିଛି ସ୍ଥାନରେ ଟିକା ଅଭାବରୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଆଜି ରୁଷ ଟିକା ସ୍ଫୁଟନିକ୍-ଭି କୁ ଜରୁରୀକାଳୀନ ଅନୁମତି ଦିଆଯାଇଛି । ତେବେ ଏହା ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଦେଶର ସମସ୍ତ ନାଗରିକଙ୍କ ପାଖରେ ଟିକା ପହଞ୍ଚାନ୍ତୁ ବୋଲି କହିଛନ୍ତି ।

ଏନେଇ ସେ ଆଜି ଟୁଇଟ୍ କରି କହିଛନ୍ତି ଯେ, “୩୮୫ ଦିନ ମଧ୍ୟରେ କରୋନା ଲଢ଼େଇରେ ଜିତି ପାରିଲେନି ଏବେ ଉତ୍ସବ, ତାଳି-ଥାଳୀ ବହୁତ ହେଇଗଲା, ଏବେ ଦେଶକୁ ଟିକା ଦିଅ’ । ରାହୁଲ ତାଙ୍କ ପାର୍ଟି ତରଫରୁ ହ୍ୟାସଟ୍ୟାଗ “ସ୍ପିକଅପ୍ ଫର୍ ଭ୍ୟାକସିନ୍ ଫର୍ ଅଲ୍’ ଦ୍ୱାରା ଚଳାଇଥିବା ସୋସିଆଲ୍ ମିଡିଆ ଅଭିଯାନ ଅଧୀନରେ ଏହି ଟିପ୍ପଣୀ ଦେଇଛନ୍ତି । ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, “ମୋଦୀ ଜୀ ଆପଣ ତାଳି ବଜେଇଲେ, ଥାଳୀ ବଜେଇଲେ, ମୋବାଇଲ୍ ଲାଇଟ୍ ମଧ୍ୟ ଜଳେଇଲେ, ଏହାପରେ ବି କରୋନା ସଂକ୍ରମଣ ବଢ଼ିଚାଲିଲା । ଏବେ ଦ୍ୱିତୀୟ ଲହରରେ ଲକ୍ଷ ଲକ୍ଷ ଲୋକ କରୋନା ଭାଇରସ୍ ର ଶିକାର ହେଉଛନ୍ତି । ଯାହାକୁ ଟିକାର ଆବଶ୍ୟତକା ଅଛି ତାଙ୍କୁ ଟିକା ଦିଅନ୍ତୁ । ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ’ ।

ସୁଚନାଯୋଗ୍ୟ, ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୩୫ ଲକ୍ଷ ୨୭ହଜାର ୭୧୭ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା ୧ ଏକ୍ଷ ୭୦ହଜାର ୧୭୯ରେ ପହଞ୍ଚିଛି । ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ ଆଦି ରାଜ୍ୟରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଠାରେ ଲୋକଙ୍କ ପାଇଁ ଟିକାର ଅଭାବ ଦେଖାଦେଇଛି ।

Get real time updates directly on you device, subscribe now.