ଚାଲିଥିଲା ବେଆଇନ୍ କରତକଳ, ୩ଟି ସ୍ଥାନରେ ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ
ଏକାଥରେ ୩ଟି ବେଆଇନ୍ କରତକଳ ଉପରେ ବନ ବିଭାଗର ଚଢ଼ାଉ । ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ସହ ମୂଲ୍ୟବାନ କାଠ ଜବତ ।
ବାଲେଶ୍ୱର: ବେଆଇନ କରତ କଳ ଉପରେ ବନ ବିଭାଗର ମାରାଥନ ଚଢ଼ାଉ । ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଏବଂ ନାମିଦାମୀ କାଠ ବନବିଭାଗ ଜବତ କରିଥିବା ସୂଚନା ମିଳିଛି ।
ମାମଲା କ’ଣ: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କହ୍ନେଇବିନ୍ଧା, ସାହୁଖୋର୍ଦ୍ଧା ଏବଂ ମଇତାପୁର ଆଦି ଅଞ୍ଚଳରେ ଦୀର୍ଘ ଦିନ ଧରି ଥିବା ବେଆଇନ କରତକଳ ଉପରେ ଭିଜିଲାନ୍ସ ଏବଂ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।
ବେଆଇନ କରତକଳ ଉପରେ ବାରମ୍ବାର ବନବିଭାଗ ଚଢ଼ାଉ କରୁଥିଲେ ସୁଦ୍ଧା କାହାରିକୁ ଖାତିର ନକରି ବନବିଭାଗକୁ ଚାଲେଞ୍ଜ କରି ଏହି କରତକଳ ଗୁଡ଼ିକ ଚାଲିଆସୁଥିଲା ।
ଚଢ଼ାଉ ଟିମ୍: ତେବେ କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ୱର ଡିଏଫଓ ଖୁସବତ ସିଂଙ୍କ ନିର୍ଦ୍ଦେଶ କ୍ରମେ କଟକ ଭିଜେଲାନ୍ସ ଟିମ ସହ ଚାନ୍ଦିପୁର, ବାଲେଶ୍ୱର ଏବଂ ସୋର ବନବିଭାଗ ତରଫରୁ ମିଳିତ ଚଢ଼ାଉ କରାଯାଇଛି ।
ଏହି ଚଢ଼ାଉ ବେଳେ ACF ଜୟଶ୍ରୀ ମୁର୍ମୁ, ସୋର ରେଞ୍ଜର ହରିହର ମାଝୀ, ସିମୁଳିଆ ଅତିରିକ୍ତ ତହସିଲଦାର ଅଙ୍କିତା ମହାନ୍ତି ଏବଂ ବନବିଭାଗର ଅନ୍ୟ କର୍ମଚାରୀଙ୍କ ସମେତ ସିମୁଳିଆ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।