ଭୁବନେଶ୍ୱର: ରାଜ୍ୟରେ ତାତି ଯୋଗୁଁ ଲୋକମାନେ ଡହଳବିକଳ ହେଉଛନ୍ତି । ଏହାରି ଭିତରେ ଏକ ଖୁସି କଲା ପରି ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।
ଲଘୁଚାପର ପ୍ରଭାବରେ ଆସନ୍ତା ୧୦ ରୁ ୧୭ ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ ୫ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହା ପୂର୍ବାନୁମାନ କରିଛନ୍ତି।
ସେ କହିଛନ୍ତି ଯେ, ସୃଷ୍ଟି ହୋଇଥିବା ଲଘୁଚାପ ୯ ଓ ୧୦ ରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପର ସିଧା ପ୍ରଭାବ ଓଡି଼ଶା ଉପରେ ପଡିବ ନାହିଁ। କିନ୍ତୁ ଏହା ଦ୍ବାରା ରାଜ୍ୟକୁ ସାମୁଦ୍ରିକ ପବନ ବହିବ। ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ କାଳବୈଶାଖି ସମ୍ଭାବନା ରହିଛି।
୧୦ ତାରିଖରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକା ବର୍ଷା ହେବ। ୧୩ ରୁ ୧୫ ମଧ୍ୟରେ ଉତ୍ତର ଉପକୂଳ , ସଂଲଗ୍ନ ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୧୬ ଓ ୧୭ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,ମୟୂରଭଂଜ ଓ ଦକ୍ଷିଣ ଆଭ୍ୟନ୍ତରୀଣରେ କାଁ ଭାଁ ବର୍ଷା ହୋଇପାରେ।
ଅନେକ ସ୍ଥାନରେ ଆଜି ଓ ଆସନ୍ତାକାଲି ତାପମାତ୍ରା ୧ ରୁ ୨ ଡିଗ୍ରୀ ସେଲସିୟସ୍ ବଢିବ। ବଲାଙ୍ଗୀର, କଳାହାଣ୍ତି.,ସୋନପୁର ଓ ସୁନ୍ଦରଗଡରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ପଣା ସଂକ୍ରାନ୍ତି ଠାରୁ ରାଜ୍ୟରେ ତାପମାତ୍ରା କମିପାରେ। ୧୩ ଓ ୧୪ ତାରିଖରେ ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ କୂଆପଥର ବର୍ଷା ହୋଇପାରେ। ଗତକାଲି ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୦.୭ ଡିଗ୍ରୀ ରେକର୍ଡ଼ ହୋଇଥିଲା।
ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ରାୟଗଡା, କୋରାପୁଟ୍, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ। ବଜ୍ରପାତ ସାଙ୍ଗକୁ ୩୦ ରୁ ୪୦ କିମି ବେଗରେ ପବନ ବହିବ। ଏନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।