fbpx

ରାଜ୍ୟରେ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ! ୨୪ ଘଣ୍ଟା ପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ନବରାତ୍ରି ଚାଲିଥିବା ବେଳେ ଭିଜୁଛି ଓଡ଼ିଶା। ସାରା ରାଜ୍ୟରେ ପାର୍ବଣ ଆରମ୍ଭ ହୋଇଯାଇଥିବାବେଳେ ବର୍ଷା ଏହାକୁ ପାଣିଚିଆ କରିବାର ଆଶଙ୍କା ଦେଖାଦେଇଛି । ଏହାର କାରଣ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଏହା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ବର୍ଷା ଆଶଙ୍କା ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ପାଣିପାଗ ବୁଲେଟିନ ଅନୁସାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । କେବଳ ଏତିକି ନୁହେଁ, ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦୁଇ ଦୁଇଟି ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ଓ ଅଧିକାଂଶ ଜିଲ୍ଲାରେ ଆସନ୍ତା ୫ ତାରିଖ (ଦଶହରା) ପର୍ଯ୍ୟନ୍ତ ବର୍ଷା ହେବ ।

ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ । ଏଥିପାଇଁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଗୁଡ଼ିକ ମଧ୍ୟରୁ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, କୋରାପୁଟ,ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏପରି ସ୍ଥିତି ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଓ ୫ ତାରିଖ ପରେ ବର୍ଷା ପରିମାଣ କମିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.