fbpx

ମଲ୍ଲିକାର୍ଜୁନ ଖଡଗେ ହେବେ କଂଗ୍ରେସର ଅଧ୍ୟକ୍ଷ ! ତାଙ୍କ ଆଗରେ ତିଷ୍ଠି ପାରିବେ ନାହିଁ ଶଶି ଥରୁର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦୀର୍ଘ ସମୟ ଧରି ଜାରି ମାନସ ମନ୍ଥନ, କଳ୍ପନା ଜଳ୍ପନା ଏବଂ ଅନେକ ରାଜନୈତିକ ଡ୍ରାମା ପରେ ଚିତ୍ର ଏବେ ସ୍ପଷ୍ଟ ହୋଇଛି। ପାର୍ଟି ପ୍ରମୁଖ ପାଇଁ ମଇଦାନରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭା ସାଂସଦ ଶଶି ଥରୁର। ଅକ୍ଟୋବର ୧୭ରେ ହେବାକୁ ଥିବା ନିର୍ବାଚନରେ ଖଗଡେ ଥରୁରଙ୍କଠୁ ଢେର ଆଗରେ ଥିବା ସ୍ପଷ୍ଟ ବାରି ହୋଇ ପଡୁଛି। କୁହାଯାଉଛି ଖଡଗେଙ୍କ ସାମ୍ନାରେ ଥରୁର ତିଳେ ହେଲେ ତିଷ୍ଠି ପାରିବେ ନାହିଁ। ଏହି କ୍ରମରେ ଶନିବାର ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି।
ଟକ୍କର ତ ଖଡଗେ ଏବଂ ଥରୁରଙ୍କ ମଧ୍ୟରେ ହେବାକୁ ଯାଉଛି। ଉଲ୍ଲେଖନୀୟ କଂଗ୍ରେସ ପାର୍ଟିରେ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଦେବାର ଅଧିକାର ୯୧୦୦ ପ୍ରତିନିଧିଙ୍କ ନିକଟରେ ରହିଛି। ମତଦାନ ପରେ ଅକ୍ଟୋବର ୧୯ରେ ଭୋଟ୍ ଗଣତି ହେବ ଏବଂ ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବ।

ନାମାଙ୍କନ ସମୟରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଖଡଗେ
କର୍ଣ୍ଣାଟକ ବାସିନ୍ଦା ବରିଷ୍ଠ କଂଗ୍ରେସ ନେତା ଖଡଗେ ପାର୍ଟିରେ ସମସ୍ତଙ୍କର ପସନ୍ଦର ପ୍ରାର୍ଥୀ ଭାବେ ଆର୍ବିଭାବ ହୋଇଛନ୍ତି। ୮୦ ବର୍ଷୀୟ ଖଡଗେ କଂଗ୍ରେସର ବରିଷ୍ଠ ନେତାଙ୍କ ସହିତ ନାମାଙ୍କନ ପତ୍ରର ୧୪ ସେଟ୍ ଦାଖଲ କରିଛନ୍ତି। ତାଙ୍କର ପ୍ରସ୍ତାବଙ୍କ ମଧ୍ୟରେ ଥିଲେ ଅଶୋକ ଗେହଲଟ୍, ଦିଗବିଜୟ ସିଂହ, ଏକେ ଆଣ୍ଟୋନୀ, ଅମ୍ବିକା ସୋନି, ମୁକୁଲ ଓ୍ଵାସନିକଙ୍କ ପରି ବରିଷ୍ଠ ନେତା। ଏପରିକି ଆନନ୍ଦ ଶର୍ମା, ପୃଥ୍ଵୀରାଜ ଚହ୍ଵାଣ, ମନୀଷ ତିଓ୍ଵାରୀ ଏବଂ ଭୂପେନ୍ଦ୍ର ହୁଡ୍ଡାଙ୍କ ପରି ନେତା ମଧ୍ୟ ଖଡଗେଙ୍କ ପ୍ରସ୍ତାବକ ତାଲିକାରେ ସାମିଲ୍। ଏହି ନେତା ପାର୍ଟିରେ ସାଂଗଠନିକ ପରିବର୍ତ୍ତନର ଦାବି ଉଠାଇଥିବା ନେତାଙ୍କ ଜି-୨୩ ଗ୍ରୁପରେ ସାମିଲ୍।

ଜି-୨୩ରେ ଅନେକ ନେତା ଖଡଗେଙ୍କ ସମର୍ଥନରେ
ଶୁକ୍ରବାର ଏଆଇସିସି ମୁଖ୍ୟାଳୟରେ ଖଗଡେଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ପାର୍ଟିର ଅନେକ ନେତା ତାଙ୍କ ସହିତ ରହିଥିଲେ। ବିଶେଷ କରି ଜି-୨୩ର ଅନେକ ନେତା ତାଙ୍କ ପ୍ରାର୍ଥୀତ୍ଵକୁ ସମର୍ଥନ କରିଛନ୍ତି। ଅନେକ ସାଂସଦ ଖଡଗେଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ କରିଛନ୍ତି। ଯଦି ଖଡଗେ ନିର୍ବାଚନ ଜିତନ୍ତି ତେବେ ଏସ ନିଜାଲିଙ୍ଗପ୍ପାଙ୍କ ପରେ କର୍ଣ୍ଣାଟକର ଦ୍ଵିତୀୟ ନେତା ହିସାବରେ କଂଗ୍ରେସର ମଙ୍ଗ ଧରିବେ। ଏହା ବାଦ୍ ଜଗଜୀବନ ରାମଙ୍କ ପରେ ଏହି ପଦରେ ଅଧିଷ୍ଠ ହେବାରେ ଦ୍ଵିତୀୟ ଦଳିତ ନେତା ହେବେ। ଖଡଗେ ୫୦ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଅଛନ୍ତି।
ଅନ୍ୟପକ୍ଷେ ଶଶି ଥରୁର ଖୋଦ୍ ଜି-୨୩ରେ ସାମିଲ୍ ଅଛନ୍ତି। ସେ ନାମାଙ୍କନ ପତ୍ରର ୫ ସେଟ୍ ଦାଖଲ କରିଛନ୍ତି। ଥରୁରଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ସହିତ କାର୍ତ୍ତି ଚିଦାମ୍ବରମ, ମହମ୍ମଦ ଜାଭେଦ ଏବଂ ପ୍ରଦ୍ୟୁତ ବୋରଦୋଲାଇ ଆଦି କିଛି ନେତା ଥିଲେ। ୬୬ ବର୍ଷୀୟ ଥରୁର ନିର୍ବାଚନରେ ନିଜ ପ୍ରତିଦ୍ଵନ୍ଦ୍ଵୀ ଖଗଡେଙ୍କୁ ପାର୍ଟିର ଭୀଷ୍ମ ପିତାମହର ଆଖ୍ୟା ଦେଇଛନ୍ତି।

ଅତି ବିଶ୍ଵସ୍ତ ମଲ୍ଲିକାର୍ଜୁନ ଖଡଗେ
ମଲ୍ଲିକାର୍ଜୁନ ଖଡଗେ ନେହେରୁ-ଗାନ୍ଧୀ ପରିବାର ପ୍ରତି ସର୍ବଦା ବିଶ୍ଵସ୍ତ ରହି ଆସିଛନ୍ତି। ସୋନିଆ ଏବଂ ରାହୁଲଙ୍କ ସେ ଆସ୍ଥା ଭାଜନ ରହିଛନ୍ତି। ଦଳ ପ୍ରଦର୍ଶନରେ ତାଙ୍କର ସକ୍ରିୟ ଭୂମିକା ରହି ଆସିଛି। ସେ ସର୍ବଦା ଗାନ୍ଧୀ ପରିବାର ସହିତ ରହି ଆସିଛନ୍ତି। ନିକଟରେ ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କୁ ଇଡିର ଜେରା ପ୍ରତିବାଦରେ ଖଡଗେ ଖୋଲାଖୋଲି ସାମ୍ନାକୁ ଆସିଥିଲେ। ରାହୁଲ ଏବଂ ସୋନିଆଙ୍କ ସମର୍ଥନରେ ଲଗାତାର ସାମ୍ବାଦିକ ସମ୍ମିଳନୀ କରିଥିଲେ।

କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ସାମିଲ୍ ଥରୁର
ଅପରପକ୍ଷେ ଶଶି ଥରୁର ଗାନ୍ଧୀ-ନେହେରୁ ପ୍ରତି ସେତେଟା ବିଶ୍ଵସ୍ତ ନଥିବା କୁହାଯାଏ। ତାଙ୍କର ଗଣତି କଂଗ୍ରେସର ଅସନ୍ତୁଷ୍ଠ ନେତାଙ୍କ ମଧ୍ୟରେ କରାଯାଏ। ଥରୁର ଜି-୨୩ର ସଦସ୍ୟ। ପାର୍ଟି ଭିତରେ ସୁଧାରର ଦାବିକୁ ସେ ପ୍ରମୁଖତାର ଉଠାଇ ଆସିଛନ୍ତି। ତେଣୁ ସାଂପ୍ରତିକ ସ୍ଥିତିକୁ ଦେଖିଲେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟ ସୁନିଶ୍ଚିତ ଲାଗୁଛି।

Get real time updates directly on you device, subscribe now.