fbpx

ଜଗା କାଳିଆର ବିଚିତ୍ର ଲୀଳା: ସ୍ନାନ କରାଇଲେ ଦେବରାଜ ଇନ୍ଦ୍ର! ଦିବ୍ୟସ୍ନାନ ସରିବା ପରେ ଛାଡ଼ିଗଲା ବର୍ଷା

Advertisement

ଓଡ଼ିଶା ଭାସ୍କର: ଓଡ଼ିଶାର ନାଥ ଶ୍ରୀଜଗନ୍ନାଥଙ୍କୁ ଲୀଳାମୟ ଠାକୁର ବୋଲି କୁହାଯାଏ । ଦୁନିଆରେ ସବୁକିଛି ତାଙ୍କ ଇଚ୍ଛା ଆଉ ନିର୍ଦ୍ଦେଶରେ ହିଁ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଚକ୍ରରେ ସେ ସାରା ଜଗତକୁ ବୁଲାନ୍ତି । ଯାହାର ଆଉ ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି । କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଜି ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଦିବ୍ୟ ସ୍ନାନ ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି ମହାପ୍ରଭୁଙ୍କ ଆଉ ଏକ ଅଲୌକିକ ଚମତ୍କାର । ସ୍ନାନ ଯାତ୍ରା ସରିବା ପରେ ଅଚାନକ ବନ୍ଦ ହୋଇଯାଇଥିଲା ଘଣ୍ଟା ଘଣ୍ଟା ଧରି ଲାଗି ରହିଥିବା ମୂସଳଧାରାର ବର୍ଷା । ଏହାକୁ ଜଗା କାଳିଆର ଏକ ଚମତ୍କାର ବୋଲି କହୁଛନ୍ତି ଶ୍ରଦ୍ଧାଳୁ ।

ଆଜି ପୁରୀ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଛାଡ଼ି ସ୍ନାନ ବେଦୀକୁ ଆସିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତା ବଳଭଦ୍ର ଏବଂ ଭଗିନୀ ସୁଭଦ୍ରା । ସ୍ନାନମଣ୍ଡପରେ ୧୦୮ ଗରା ଜଳରେ ଚତୁର୍ଦ୍ଧାମୁରତୀଙ୍କର ପବିତ୍ର ସ୍ନାନ କରାଯାଇଛି । ସେହି ସୁବାସିତ ଅଭିମନ୍ତ୍ରିତ ଜଳରେ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଇଛନ୍ତି ସେବାୟତ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଇଛି । କିନ୍ତୁ ଏହି ପବିତ୍ର ନୀତି ସମୟରେ ଏକ ଅଲୌକିକ ଘଟଣା ଦେଖିଛି ସାରା ବିଶ୍ୱ । ସ୍ନାନଯାତ୍ରାର ନୀତି ଆରମ୍ଭ ହେବାର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଥିଲା । ଧିରେ ଧିରେ ନୀତି ଆଗେଇବା ସହ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ହୋଇଥିଲା । ୧୦୮ ଗରା ଜଳରେ ମହାପ୍ରଭୁଙ୍କ ସ୍ନାନ ଆରମ୍ଭ ହେବା ବେଳେ ଆରମ୍ଭ ହୋଇଥିଲା ମୂସଳଧାରାରେ ବର୍ଷା । ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ଶ୍ରୀବିଗ୍ରହ ମାନେ ମଧ୍ୟ ବର୍ଷାଜଳରେ ସ୍ନାନ କରିଛନ୍ତି ।

ତେବେ ଦାରୁ ଦିଅଁଙ୍କ ଦିବ୍ୟସ୍ନାନ ଶେଷ ହେବା ପରେ ଅଚାନକ ବର୍ଷା ମଧ୍ୟ ଛାଡ଼ି ଯାଇଛି । ଦିବ୍ୟସ୍ନାନ ନୀତି ଚାଲୁ ରହିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ କିଛି ଦେଖା ଯାଉ ନଥିବା ବେଳେ ନୀତି ସମ୍ପନ୍ନ ପରେ ସମ୍ପୂର୍ଣ୍ଣ ନିର୍ମଳ ହୋଇ ଯାଇଛି ସାରା ଆକାଶ । ଏହାକୁ ମହାପ୍ରଭୁଙ୍କ ବିଚତ୍ର ଲୀଳା ବୋଲି କହୁଛନ୍ତି ଶ୍ରଦ୍ଧାଳୁ । କୁହାଯାଇଛି ସ୍ୱର୍ଗରୁ ୩୩ କୋଟି ଦେବାଦେବୀଙ୍କ ସହ ଦେବରାଜ ଇନ୍ଦ୍ର ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ସ୍ନାନ କରାଇଛନ୍ତି । ଆକାଶରୁ ବର୍ଷା କରାଇ ଚତୁର୍ଦ୍ଧାମୁରତୀଙ୍କୁ ଦିବ୍ୟସ୍ନାନ କରାଇଛନ୍ତି ୩୩ କୋଟି ଦେବାଦେବୀ ।

Get real time updates directly on you device, subscribe now.