ଓଡ଼ିଶା ଭାସ୍କର: ‘ବନସ୍ତେ ଡାକିଲା ଗଜ, ବରସକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ ।….’ ଆଜି ରଜ ସଂକ୍ରାନ୍ତି । ଚଳଚଞ୍ଚଳ ଗାଁ ଠାରୁ ସହର । ସବୁଆଡ଼େ ଉତ୍ସବର ମାହୋଲ । ଓଡ଼ିଶାର ପାରମ୍ପରିକ ଗଣପର୍ବ ଭାବେ ପରିଚିତ ରଜ ପର୍ବ । ଘରେ ଘରେ ପିଠା ପଣା, ଦୋଳି ଖେଳ, ପୁଚି ଖେଳ, ଲୁଡୁ, ତାସ୍, ଖେଳ ଭିତରେ ଜମୁଛି ରଜର ଆସର ।
ରଜର ମୁଖ୍ୟ ଆକର୍ଷଣ ହେଉଛି ପୋଡ଼ ପିଠା ଓ ରଜପାନ । ରଜରେ ପାନ ଖିଆର ମଜା କିନ୍ତୁ ନିଆରା । ପ୍ରୀତିର ବନ୍ଧନ ହେଉଛି ପାନ । ‘ପାନ’ ବା ତାମ୍ବୁଲ ଏକ ମୁଖବାସ ଭାବେ ବ୍ୟବହାର କରାଯାଏ । ପ୍ରତି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଜଗନ୍ନାଥ ପ୍ରତିଦିନ ଭୋଜନ ପରେ ତାମ୍ବୁଲ ସେବା କରି ନିଦ୍ରା ଯିବାର ପରମ୍ପରା ରହିଛି ।
ପାନକୁ ନେଇ ଏକ ଢଗ ମଧ୍ୟ ରହିଛି – ‘ପାନ ଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢ଼ାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’ ।
ରଜ ପାନରେ ଗୁଆ, ଗୁଜୁରାତି, ଭଜା ଧନିଆ, ପାନ ମହୁରୀ, ଲବଙ୍ଗ, ଖଇର, ଇତ୍ୟାଦି ଅନେକ ପ୍ରକାର ମସଲା ବ୍ୟବହୃତ ହୋଇଥାଏ । ଏହାକୁ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତିରେ ଉପରେ ଚେରି ଓ ଲବଙ୍ଗ ଦେଇ ସୁନ୍ଦର ଭାବେ ଖୋସାଯାଇଥାଏ । ରଜ ପାନର ମହକ ରଜର ମଜାକୁ ଆହୁରି ଦ୍ୱିଗୁଣିତ କରିଥାଏ । ବନାରସି ମସଲା ପାନ, କଲିକତାର ସ୍ପେଶାଲ ମସଲା ଭଳି ଅନ୍ୟ ଭେରାଇଟି ପାନ ରଜରେ ବିକ୍ରି ହୋଇଥାଏ । ଇତିହାସ କୁହେ ଆଗକାଳରେ ନାରୀମାନେ ନିଜ ଓଠକୁ ରଂଗ କରିବା ପାଇଁ ପାନ ଖାଉଥିଲେ । ପ୍ରାକୃତିକ ରଂଗ ଭାବେ ସେମାନେ ପାନ ବ୍ୟବହାର କରୁଥିଲେ । ଭାରତ, ଚୀନ, ଭୁଟାନ୍, ବର୍ମା, ଥାଇଲାଣ୍ଡ ଓ ମାଲେସିଆରେ ପାନକୁ ଆଭିଯାଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରୁଥିଲେ । ଆୟୁର୍ବେଦ ଚିକିତ୍ସାରେ ପାନର ବ୍ୟବହାର ବ୍ୟାପକ ଅଟେ । ଚକ୍ଷୁରୋଗ, ମୁଣ୍ଡ ବିନ୍ଧା, ଅନ୍ଧାରକଣା, କଣ୍ଠ ରୋଗ, ଫୁସଫୁସ ରୋଗ, ଚର୍ମରୋଗ ଇତ୍ୟାଦି ପାଇଁ ପାନ ରସର ବ୍ୟବହାର ହୋଇଥାଏ ।
ଆଧୁନିକତାର ଛାପରେ ଯଦିଓ ପୂର୍ବ ଭଳି ରଜ ପର୍ବ ପାଳନ ହେଉନାହିଁ ତଥାପି ରଜପର୍ବ ପାଇଁ ଆଦର ଓ ସରାଗ କମିନାହିଁ । ରଜ ପାନର ମହକ ରଜ ପର୍ବର ମଜାକୁ ଆହୁରି ଦ୍ୱିଗୁଣିତ କରିଥାଏ ।