fbpx

ଧଳା ଚାଦର ବିଛାଇ ନବବଧୂର କରାଗଲା Virginity ଟେଷ୍ଟ, ଫେଲ୍ ହେବାରୁ ପଞ୍ଚାୟତ ଲଗାଇଲା ୧୦ ଲକ୍ଷ ଜରିମାନା

ଭିଲଓ୍ଵାଡା: କହିବାକୁ ଗଲେ ଆମେ ସଂପ୍ରତି ଏକବିଂଶ ଶତାବ୍ଦୀରେ ପାଦ ଦେଇଛନ୍ତି। କିନ୍ତୁ ଆଜିର ଆଧୁନିକ ସମାଜରେ ମଧ୍ୟ ଆମ ଚିନ୍ତାଧାରାରେ ପରିବର୍ତ୍ତନ ଘଟିନାହିଁ। ଅନେକ ଜାଗାରେ ଭର୍ଜିନିଟି ଟେଷ୍ଟ ନାମରେ ମହିଳାଙ୍କ ସହ ଅତ୍ୟାଚାର କରାଯାଉଛି। ସଦ୍ୟତମ ମାମଲା ରାଜସ୍ଥାନର ଭିଲଓ୍ଵାଡା ଜିଲ୍ଲାର ବାଗୋର ଥାନାରୁ ଆସିଛି। ଏଠାରେ ଭି ଟେଷ୍ଟ(ଭର୍ଜିନିଟି ଟେଷ୍ଟ) ନାମରେ ନବବଧୂ ସହିତ ଅତ୍ୟାଚାର କରାଯାଇଛି।

ସୂଚନା ଅନୁଯାୟୀ, ନବବଧୂ ଚଉଠି ରାତିରେ ନିଜର ଭର୍ଜିନିଟି ପ୍ରମାଣିତ କରି ପାରିନଥିଲେ। ଏହା ପରେ ସ୍ଵାମୀ ନିଜ ମାଆଙ୍କ ସହ ମିଶି କନ୍ୟାକୁ ମାଡ ମାରିଥିଲେ। ଏପରିକି ଘରୁ ମଧ୍ୟ ବାହାର କରି ଦେଲେ। କନ୍ୟା ଏବଂ ତାଙ୍କ ପରିବାର ଲୋକଙ୍କୁ ଦଣ୍ଡିତ କରିବା ପାଇଁ ପଞ୍ଚାୟତ ବୈଠକ ଡକାଗଲା। ପଞ୍ଚାୟତ କୁକଡି ପ୍ରଥା ଅନୁସାରେ ଯୁବତୀଙ୍କ ପରିବାର ଉପରେ ୧୦ ଲକ୍ଷ ଟଙ୍କାର ମୋଟା ଜରିମାନା ଲଗାଇ ଦେଲେ। ଜରିମାନା ନଦେବାରୁ ବର୍ତ୍ତମାନ ଯୁବତୀଙ୍କ ପରିବାର ଲୋକଙ୍କୁ ନାନାଦି ପ୍ରକାରର ହଇରାଣ କରାଗଲା।
ଭିଲଓ୍ଵାଡାର ବାସିନ୍ଦା ୨୪ ବର୍ଷୀୟ ଯୁବତୀଙ୍କ ବିବାହ ୨୦୨୨ ମେ ୧୧ ତାରିଖରେ ହୋଇଥିଲା। ପାରମ୍ପରିକ ପ୍ରଥା ଅନୁସାରେ ଶାଶୁ ଘରେ ତାଙ୍କର ଭର୍ଜିନିଟି ଟେଷ୍ଟ କରାଗଲା। ଏଥିରେ ବିଫଳ ହୋଇଥିଲେ ନବବଧୂ। ପଚରା ଉଚୁରା ପରେ ଜଣା ପଡିଥିଲା ଯେ, ବିବାହ ପୂର୍ବରୁ ତାଙ୍କ ପଡୋଶୀରେ ରହୁଥିବା ଯୁବକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ପଞ୍ଚାୟତ ବୈଠକରେ ଯୁବତୀଙ୍କ ଘର ଲୋକେ ମେ ୧୮ରେ ସୁଭାଷ ନଗର ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରିଥିବା କହିଥିଲେ। ତଥାପି ପଞ୍ଚାୟତର ମନ ବୁଝିନଥିଲା। ପୁଣି ମେ ୩୧ରେ ପଞ୍ଚାୟତ ବୈଠକ ଡକାଗଲା ଏବଂ ଯୁବତୀଙ୍କ ପରିବାର ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଗଲା।
ଏହା ପରେ ଯୁବତୀଙ୍କ ପରିବାର ଲୋକେ ପଞ୍ଚାୟତ ଏବଂ ଶ୍ଵଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୋଲିସ୍ ଘଟଣାର ଯାଞ୍ଚ ଖୋଳତାଡ କରି ଯୁବତୀଙ୍କ ସ୍ଵାମୀ ଏବଂ ଶ୍ଵଶୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

କଣ ଏହି କୁକଡି ପ୍ରଥା:
କୁକଡି ପ୍ରଥା ଅନୁସାରେ ବିବାହର ପ୍ରଥମ ରାତିରେ କୋଠରୀରେ ଧଳା ଚାଦର ବିଛାଯାଏ। ନବବଧୂର ତଲାସି ନିଆଯାଏ ଯେ, ତା ପାଖରେ ପିନ କିମ୍ବା ନେଲପୋଲିସ ନାହିଁ ତ। ଏହା ପରେ ଶାରୀରିକ ସଂପର୍କ ରଖିବା ସମୟରେ ଚାଦରରେ ଯଦି ରକ୍ତ ଲାଗେ ତେବେ ଯୁବତୀଙ୍କୁ ଭର୍ଜିନ ଘୋଷିତ କରାଯାଏ। ଯଦି ଚାଦରରେ ରକ୍ତ ନଲାଗେ ତେବେ ଯୁବତୀଙ୍କୁ ସଜା ଦିଆଯାଏ।

ଚାଦରରେ ରକ୍ତର ଦାଗ ଥିଲେ:
ଯଦି ଚାଦରରେ ରକ୍ତର ଦାଗ ମିଳେ ତେବେ ଯୁବତୀଙ୍କୁ ଭର୍ଜିନ ଘୋଷିତ କରାଯାଏ। ଏହା ପରେ ନବବଧୂର କିଛି ରକ୍ତ ବଲ୍(କୁକଡି)ଉପରେ ଲଗାଯାଏ। ପୁଣି ଦୁଇ ପରିବାରର ସଦସ୍ୟଙ୍କୁ ରକ୍ତ ଲଗା ଧଳା ଚାଦର ଏବଂ କୁକଡି ଦେଖାଯାଏ। ପ୍ରମାଣ ଭାବେ ଧଳା ଚାଦରକୁ ଶ୍ଵଶୁର ଘର ଲୋକଙ୍କୁ ଦିଆଯାଏ।

ଯଦି ଚାଦରରେ ରକ୍ତର ଦାଗ ନମିଳେ:
ଧଳା ଚାଦରରେ ରକ୍ତର ଦାଗ ନମିଳିଲେ ଏହାର ସିଧା ଅର୍ଥ- କନ୍ୟାର ଜୀବନ ଏବେ ନର୍କ ହେବା ଥୟ। ବର ଚିତ୍କାର କରି ସମସ୍ତଙ୍କୁ ଜଣାଏ ଯେ, ଏହା ଚରିତ୍ରହୀନ ଝିଅ। ଆଉ କଉ ପୁଅ ସହିତ ମୁହଁ କଳା କରି ସାରିଛି। ଶ୍ଵଶୁର ଘର ଲୋକେ ପୋଷାକ ଖୋଲି ଯୁବତୀଙ୍କୁ ନିର୍ମମ ଭାବେ ମାଡ ମାରନ୍ତି। ଯୁବତୀଙ୍କୁ ନିଜର ପ୍ରେମିକାର ନାମ ପଚାରନ୍ତି। ଏହା ପରେ ଜାତିର ପଞ୍ଚାୟତ ବସିଥାଏ। ଏଥିରେ ଯୁବତୀଙ୍କ ପରିବାର ଉପରେ ଲକ୍ଷାଧିକ ଟଙ୍କାର ଜରିମାନା ଲଗାଯାଏ। ଜରିମାନାରୁ ବଞ୍ଚିବା ପାଇଁ ଏବଂ ନିଜର ପବିତ୍ରତା ସାବ୍ୟସ୍ତ କରିବା ପାଇଁ ଯୁବତୀଙ୍କୁ ଆଉ ଦୁଇଟି ସୁଯୋଗ ଦିଆଯାଏ।

Get real time updates directly on you device, subscribe now.