fbpx

ରାଜସ୍ଥାନ ସରକାର ଜନତାଙ୍କୁ କରିଦେଲେ ପୁରା ଖୁସ୍‌; ବିଜୁଳି-ପାଣି ମାଗଣା, ଝିଅ ଜନ୍ମ ହେଲେ ମିଳିବ ୧ ଲକ୍ଷ ଟଙ୍କା ବଣ୍ଡ୍‌

ଜୟପୁର: ଗୁରୁବାର ରାଜସ୍ଥାନ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଭଜନଲାଲ ଶର୍ମା ସରକାରଙ୍କ ପ୍ରଥମ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଦିୟା କୁମାରୀ ଜନତାଙ୍କ ଲାଗି ବହୁ ବଡ ବଡ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ ଉପସ୍ଥାପିତ ଏହି ବଜେଟ୍‌ରେ ସରକାର ମାଗଣାରେ ବିଜୁଳି, ପାଇପ୍ ପାଣି, ଭତ୍ତା ବୃଦ୍ଧି ଓ ବମ୍ପର ସରକାରୀ ଚାକିରୀ ପରି ବହୁ ଲୋଭନୀୟ ଘୋଷଣା କରିଛନ୍ତି । ବିଶେଷକରି ରାଜ୍ୟର ଯୁବଗୋଷ୍ଠୀ, କୃଷକ ଓ ମହିଳାଙ୍କୁ ଦୃଷ୍ଟିରେ ରଖି ଏହି ବଜେଟ୍‌ରେ ବହୁ ଲାଭଦାୟକ ବ୍ୟବସ୍ଥା ରହିଛି ।

ଅର୍ଥମନ୍ତ୍ରୀ ଦିୟା କୁମାରୀ କହିଛନ୍ତି ରାଜ୍ୟର ୫ ଲକ୍ଷ ପରିବାରକୁ ମାଗଣାରେ ବିଦ୍ୟୁତ୍ ଯୋଗାଇ ଦିଆଯିବ । ସେ କହିଛନ୍ତି ରାଜ୍ୟର ୫ ଲକ୍ଷ ଲୋକଙ୍କ ଘରର ଛାତରେ ସୋଲାର ପ୍ୟାନେଲ ଲଗାଯିବ । ଏହାଦ୍ୱାରା ସେମାନଙ୍କୁ ପ୍ରତିମାସରେ ୩୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମିଳିବ ।
ଏହାସହିତ ରାଜସ୍ତାନ ସରକାର ୭୦ ହଜାର ଯୁବକଙ୍କୁ ସରକାରୀ ଚାକିରୀ ଦେବା ନେଇ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ଦିୟା କୁମାରୀ କହିଛନ୍ତି, ଯୁବଗୋଷ୍ଠୀଙ୍କୁ ସମ୍ବଳ ପ୍ରଦାନ କରିବା ସରକାରଙ୍କ ପ୍ରାଥମିକତା ରହିବ । ଆଗାମୀ ବର୍ଷ ସରକାରଙ୍କ ଅଧୀନରେ ୭୦ ହଜାର ପଦରେ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।
ସେହିପରି ରାଜ୍ୟରେ କୃଷକଙ୍କ ଲାଗି ପିଏମ୍ କିଷାନ ଯୋଜନା ମାଧ୍ୟମରେ ପ୍ରତି କୃଷକ ପରିବାରକୁ ସହାୟତା ରାଶି ୬ହଜାର ଟଙ୍କାରୁ ବୃଦ୍ଧି କରି ୮ ହଜାର କରାଯିବାକୁ ଘୋଷଣା କରାଯାଇଛି । ଏଥିପାଇଁ ବର୍ଷକୁ ୧୪୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । ସେହିପରି ଗହମର ନ୍ୟୁନତମ ସମର୍ଥନ ମୂଲ୍ୟ ଉପରେ ପ୍ରତି କ୍ୱିଣ୍ଟାଲରେ ୧୨୫ ଟଙ୍କା ବୋନସ୍ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସେହିପରି ଜଳସେଚନର ସୁବିଧା ଲାଗି ୨୦ ହଜାର ଜଳାଶୟ ଖୋଳାଯିବ । କୃଷକଙ୍କୁ ଡ୍ରୋନ୍ ପରି ବହୁ ଆଧୁନିକ ସୁବିଧା ଉପଲବ୍ଧ କରାଯିବ । ଏହାସହିତ କୃଷକଙ୍କୁ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ବିହନ ଉପଲବ୍ଧ କରାଯିବ । ଏହାସହିତ ଭଜନଲାଲ ସରକାର ଗୋପାଳକ କ୍ରେଡିଟ୍ କାର୍ଡ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଗୋପାଳକ ପରିବାରକୁ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ।
ସେହିପରି ଗରିବ ପରିବାରରେ ଝିଅ ଜନ୍ମ ହେଲେ ଏକ ଲକ୍ଷ ଟଙ୍କାର ବଣ୍ଡ ଦିଆଯିବ । ଏଥିପାଇଁ ଲାଡୋ ପ୍ରୋତ୍ସାହନ ଯୋଜନାର ଆରମ୍ଭ କରାଯିବ । ସେହିପରି ଲକ୍ଷପତି ଯୋଜନାରେ ୫ ଲକ୍ଷ ପରିବାରର ବାର୍ଷିକ ଆୟ ଏକ ଲକ୍ଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପିଏମ୍ ମାତୃ ବନ୍ଦନ ଯୋଜନାରେ ଗର୍ଭବତୀ ମହିଳାଙ୍କୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ ଦିଆଯାଉଥିବା ବେଳେ ରାଜସ୍ଥାନରେ ଏହାକୁ ବୃଦ୍ଧି କରି ୬୫୦୦ କରାଯିବ ବୋଲି ଘୋଷଣା କରାଯାଇଛି ।

Get real time updates directly on you device, subscribe now.