ମୁମ୍ବାଇ: ରଜତ କୁମାର ଓ ନିଶୁ କୁମାର ଜାଣି ନ ଥିଲେ ରିଶଭ ପନ୍ତ କିଏ? କିନ୍ତୁ ଦୁଇବର୍ଷ ପୂର୍ବେ ସେ ଯେତେବେଳେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ କାର୍ ଓ ତା’ ଆରୋହିକୁ ଦରମରା ଅବସ୍ଥାରେ ଦେଖିଥିଲେ, ସେମାନେ ତୁରନ୍ତ ଗାଡ଼ି ଚାଳକର ଜୀବନ ବଞ୍ଚେଇବା ପାଇଁ ଡାକ୍ତରଖାନରେ ଭର୍ତ୍ତି କରେଇଥିଲେ । ପରବର୍ତ୍ତିୀ ସମୟରେ ଦୁହେଁ ପନ୍ତଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ । ଦୁର୍ଘଟଣାସ୍ଥଳ ନିକଟରେ ଥିବା ଏକ କମ୍ପାନୀରେ କାମ କରୁଥିବା ଏ ଦୁଇ ଯୁବକ ରଜତ ଓ ନିଶୁ ଏବେ ସ୍କୁଟର ଚଲାଉଛନ୍ତି, ଯାହା ତାଙ୍କୁ ଉପହାର ସ୍ୱରୂପ ପନ୍ତ ଦେଇଛନ୍ତି । ଦୁଇ ଯୁବକ ସ୍କୁଟର ଚଲାଉଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦ୍ରୁତ ଗାଡ଼ି ଚାଳନା ଯୋଗୁ ଭୋଗିଥିବା ଯନ୍ତ୍ରଣା ପନ୍ତଙ୍କୁ ଗୋଟିଏ ବର୍ଷକାଳ ଫିଲ୍ଡରୁ ଦୂରରେ ରଖିଥିଲା । କିନ୍ତୁ ତାଙ୍କ ଫ୍ୟାନ୍ସ ଓ ପରିବାର ଲୋକଙ୍କ ପ୍ରାର୍ଥନା ଯୋଗୁ ପନ୍ତ ପୁଣିଥରେ ସୁସ୍ଥ ହୋଇ ପଡ଼ିଆକୁ ଫେରିଛନ୍ତି । ଦୁର୍ଘଟଣାରେ ପନ୍ତଙ୍କ ଚେହେରା ବିଗିଡ଼ିବା ସହ ଡାହାଣ ଗୋଇଠି ଏବଂ ମୁଣ୍ଡ ଫାଟିଯାଇଥିଲା । କ୍ଷତକୁ ବ୍ୟାଣ୍ଡେଜ କରିବା ପାଇଁ ୫ ଘଣ୍ଟା ଲାଗୁଥିବା ତାଙ୍କ କୋଚ୍ କହିଛନ୍ତି ।
୨୦୨୨ ମସିହା ଡିସେମ୍ବର ୩୦ ତାରିଖରେ ପନ୍ତ ନିଜ ସହର ରୁର୍କିକୁ ଯାତ୍ରା କରୁଥିଲା ବେଳେ ଦ୍ରୁତ ଗତିରେ ଯାଉଥିବା ତାଙ୍କ ବିଳାସପୂର୍ଣ୍ଣ କାର୍, ଡିଭାଇଡର୍ରେ ଧକ୍କା ହେବା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ପନ୍ତ ହୁହୁ ହୋଇ ଜଳୁଥିବା କାର୍ ଭିତରୁ ବାହାରିବାକୁ ସଂଘର୍ଷ କରୁଥିଲା ବେଳେ ରଜତ ଓ ନିଶୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ। ଠିକଣା ସମୟରେ ଚିକିତ୍ସା ପାଇଥିବାରୁ ପନ୍ତଙ୍କ ଜୀବନ ବଞ୍ଚି ଯାଇଥିଲା। ଯେଉଁଥିପାଇଁ ୧୩ମାସ ଧରି କ୍ରିକେଟ୍ ପଡ଼ିଆକୁ ଓହ୍ଲାଇ ପାରି ନଥିଲେ ସେ।