fbpx

‘ପାପ କରିଥିବା ଲୋକମାନେ ଏହା ଭୁଲନି ଯେ ଆଗକୁ ଆସୁଛି ରାମ ନବମୀ’ : କାହିଁକି ଏପରି କହିଲେ ମୋଦୀ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ନବାଦାରେ ପହଞ୍ଚିଛନ୍ତି । ଏଠାରେ ସେ ଜନତାଙ୍କୁ ସମ୍ବୋଧନ କରିବା ସମୟରେ INDIA ମେଣ୍ଟକୁ ଟାର୍ଗେଟ୍ କରିଛନ୍ତି । ଏହାସହିତ ବିଜେପି ସରକାର ଅମଳରେ ହୋଇଥିବା ବିଭିନ୍ନ କାର୍ଯ୍ୟର ଅବତାରଣା କରିଛନ୍ତି । ମୋଦୀ କହିଛନ୍ତି ଇଣ୍ଡିଆ ମେଣ୍ଟ ଅଭିଯୋଗ କରିଛି କି ମୋଦୀଙ୍କ ଗ୍ୟାରେଣ୍ଟି ଦେବା ଆଇନ ବିରୁଦ୍ଧ ଅଟେ । ପ୍ରଧାନମନ୍ତ୍ରୀ କଂଗ୍ରେସର ଏପରି ବୟାନ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି , ମୋଦୀ ଗ୍ୟାରେଣ୍ଟି ଦେଇଥାଏ କାରଣ ମୋଦୀର ଚରିତ୍ର ସେହିପରି ସ୍ପଷ୍ଟ । ମୋଦୀ ଏଇଥିପାଇଁ ମଧ୍ୟ ଗ୍ୟାରେଣ୍ଟି ଦେଇଥାଏ ଯେହେତୁ ସେ ଏହା ପୂରଣ କରିବାକୁ ସବୁ ପ୍ରକାର ପ୍ରୟାସ କରିଥାଏ ।

ଗତ କିଛିଦିନ ତଳେ ଅଯୋଧ୍ୟାରେ ହୋଇଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିରୋଧୀ ଦଳ ଭାଗ ନେଇ ନ ଥିଲେ । ଏହାକୁ ନେଇ ମୋଦୀ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ୍ କରି କହିଥିଲେ, ମୋଦୀ ଗ୍ୟାରେଣ୍ଟି ଦେଇଥାନ୍ତି ଓ ତାକୁ ପୂରଣ ବି କରିଥାନ୍ତି । ମୋଦୀ ଗ୍ୟାରେଣ୍ଟି ଦେଇଥିଲେ କି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ । ଆଜି ରାମ ମନ୍ଦିରର ଶିଖର ଆକାଶଛୁଆଁ ହୋଇଛି । ଦେଶବାସୀଙ୍କ ପଇସାରେ ରାମ ମନ୍ଦିର ନିର୍ମାଣ ହୋଇଛି ।

ମୋଦୀ ଆହୁରି କହିଛନ୍ତି କି ଏମାନଙ୍କର ପ୍ରଭୁ ଶ୍ରୀରାମ, ଅଯୋଧ୍ୟା ଓ ଆମ ଐତିହ୍ୟ ସହ କେଉଁ ଶତ୍ରୁତା ରହିଛି କେଜାଣି ଏମାନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ବିରୋଧ କଲେ । କେବଳ ଏତିକି ନୁହେଁ ଏମାନଙ୍କ ଦଳର କିଛି ଲୋକ ପ୍ରାଣ ପ୍ରତିଷ୍ଠାକୁ ଆସିଲେ ବୋଲି ସେମାନଙ୍କୁ ଦଳରୁ କାଢି ଦିଆଗଲା । ରାମ ନବମୀ ଆସୁଛି । ପାପ କରିଥିବା ଲୋକମାନେ ଏହା ଭୁଲି ଯାଆନ୍ତୁନି । ମୋଦୀ କହିଛନ୍ତି ବିରୋଧୀ ଭାବୁଛନ୍ତି ଯଦି ମୋଦୀଙ୍କ ଗ୍ୟାରେଣ୍ଟି ଏପରି ଚାଲୁ ରହିବ ତେବେ ସେମାନଙ୍କ ଭୋଟ୍ ବ୍ୟାଙ୍କ ଦୋକାନ ବନ୍ଦ ହୋଇଯିବ । ତେଣୁ ସେମାନେ ତାଙ୍କ ଗ୍ୟାରେଣ୍ଟିକୁ ବିରୋଧ କରୁଛନ୍ତି ।

Get real time updates directly on you device, subscribe now.