fbpx

କଂଗ୍ରେସରୁ ଶେଷ ହେବ ପରିବାରବାଦ: ଇସ୍ତଫା ପ୍ରସଙ୍ଗ ନେଇ ଏମିତି କହିଲେ ମୁଖପାତ୍ର

ନୂଆଦିଲ୍ଳୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। ଏହି ଫଳାଫଳ କଂଗ୍ରେସକୁ ଦୋହଲାଇ ଦେଇଛି। ଅସନ୍ତୁଷ୍ଟ ଜି ୨୩ ଗ୍ରୁପ ଶୀଘ୍ର ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଦାବି କରିଛନ୍ତି। ଏହା ମଧ୍ୟରେ ଖବର ଆସିଥିଲା ଯେ, ରବିବାର ସର୍ବଭାରତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି)ର ବୈଠକରେ ଗାନ୍ଧୀ ପରିବାର ଇସ୍ତଫା ଦେଇ ପାରନ୍ତି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତିନି ଜଣ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରୁ ନିଜର ଇସ୍ତଫା ଦେଇ ପାରନ୍ତି। ତେବେ ଏହି ଖବରକୁ ସଂପୂର୍ଣ୍ଣ ଖଣ୍ଡନ କରିଛି କଂଗ୍ରେସ। କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ରବିବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସିଡବ୍ଲ୍ୟସିରୁ ଇସ୍ତଫା ଦେଇ ପାରନ୍ତି। ଏହା ଉପରେ କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ଗାନ୍ଧୀ ପରିବାର ଇସ୍ତଫା ଦେବା ଖବର ସଂପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ ଏବଂ ସଂପୂର୍ଣ୍ଣ ମିଥ୍ୟା ଖବର।

ସେ କହିଛନ୍ତି, ଏକ ଟିଭି ଚ୍ୟାନେଲ କ୍ଷମତାସୀନ ବିଜେପିର କହିବାନୁସାରେ ଏହି ପରି କାଳ୍ପନିକ କାହାଣୀ ପ୍ରସାରଣ କରିଛନ୍ତି। ଦଳ ବିରୋଧରେ ଏମିତି ଅପ ପ୍ରଚାର କରିବା ଉଚିତ୍ ନୁହେଁ। ତଥ୍ୟହୀନ କାହାଣୀକୁ ନେଇ ଖବର ପ୍ରସାରଣ କରିବା ଶୋଭାପାଉ ନାହିଁ ବୋଲି ସୁରଜେଓ୍ଵାଲା କହିଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ, ରବିବାର ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ହେବାକୁ ଥିବା କଂଗ୍ରେସର ବୈଠକରେ କିଛି ବଡ ଘଟଣା ହେବାକୁ ଯାଉଛି। ବୈଠକରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଞ୍ଚ ରାଜ୍ୟରେ ପାର୍ଟିର ଶୋଚନୀୟ ପରାଜୟ ପରେ ଇସ୍ତଫା ଦେଇ ପାରନ୍ତି। ସୋନିଆ ଏବଂ ରାହୁଲ ପଦ ଛାଡିବାର ପ୍ରସ୍ତାବ ପ୍ରଥମ ଥର ଦେଉ ନାହାନ୍ତି। ଦୁଇ ନେତା ୨୦୧୪ରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପଦ ଛାଡିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସିଡବ୍ଲ୍ୟୁସି ବୈଠକରେ ଏହା ଖାରଜ ହୋଇଥିଲା। ସେହି ସମୟରେ ବି ପାର୍ଟିର ଖରାପ ପ୍ରଦର୍ଶନ ଯାଞ୍ଚ ପାଇଁ ଏକେ ଆଣ୍ଟୋନୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପାର୍ଟିର ନିରାଶଜନକ ପ୍ରଦର୍ଶନ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତେବେଠୁ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସୁଛନ୍ତି।

Get real time updates directly on you device, subscribe now.