fbpx

୨୦୨୪ ମସିହାର ପ୍ରଥମ ସୁପର ବ୍ଲୁ ମୁନ୍‌ : ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିପାରିବେ ଆପଣ

ଭୁବନେଶ୍ବର : ଅଗଷ୍ଟ ୧୯ ତାରିଖ ପୂର୍ଣ୍ଣ ଚନ୍ଦ୍ରଟି ୨୦୨୪ ମସିହାର ପ୍ରଥମ ସୁପରମୁନ୍‌ ଭାବେ ଦେଖାଯିବ। ଏହି ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟକୁ ଲୋକେ ଖାଲି ଆଖିରେ ଦେଖିପାରିବେ। ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘମୁକ୍ତ ଥିଲେ ଏହାକୁ ଖାଲି ଆଖିରେ ରାତି ସାରା ଦେଖିହେବ। ଏକ ଇଂରାଜୀ କ୍ୟା‌ଲେଣ୍ଡର୍‌ ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ବିତୀୟ ପୂର୍ଣ୍ଣିମାକୁ ‘ନୀଳ ଜହ୍ନ’ ବା ନୀଳ-ସୁପରମୁନ୍‌ ଭାବେ ନାମିତ କରାଯାଏ। ଏହାର ଚନ୍ଦ୍ରର ରଙ୍ଗ ସହ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ।

ସୁପରମୁନ୍‌ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେଧୀରେ ଏହି ଶବ୍ଦଟି ଲୋକପ୍ରିୟ ହୋଇ ବହୁଳ ବ୍ୟବହାର ହୋଇଆସୁଛି। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି ଚନ୍ଦ୍ର ଆମଠାରୁ ୩.୬୦ଲକ୍ଷ କିମି ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣିମା ପଡ଼େ, ତାହେଲେ ସେହି ଚନ୍ଦ୍ରକୁ ସୁପରମୁନ୍‌ କୁହାଯାଏ। ସେ ସମୟରେ ଆମକୁ ଚନ୍ଦ୍ର ବଡ଼ ଓ ଉଜ୍ଜ୍ବଳ ଦେଖାଯାଏ। ପ୍ରତିବର୍ଷ ଏଭଳି ଘଟଣା ଘଟିଥାଏ। ତେବେ ୨୦୨୪ ମସିହାରେ ‘୪ ସୁପରମୁନ୍‌ ସିରିଜ୍‌’ର ପ୍ରଥମ ସୁପରମୁନ୍‌ ସେମାବାର (ଅଗଷ୍ଟ ୧୯)ରେ ଦେଖାଯିବ। ଚନ୍ଦ୍ର ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୯% ବଡ଼ ଓ ୨୦% ଅଧିକ ଉଜ୍ଜ୍ବଳ ଦେଖାଯିବ। ଏହି ବିରଳ ‘ସୁପର ବ୍ଲୁ ମୁନ୍‌’ ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ଦେଖାଯାଇପାରିବ। ଭାରତରେ ଏହା ସୋମବାର ରାତ୍ରି ୧୧.୫୬ରୁ ମଙ୍ଗଳବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।

Get real time updates directly on you device, subscribe now.