ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମୟରେ କିଛି ନା କିଛି ଅଜବ ଏବଂ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳୁଛି । ମଦ ପିଇବା ପରେ ଅନେକ ଲୋକ ଅଦ୍ଭୁତ ପ୍ରକାରର କାଣ୍ଡ ଘଟାଉଥିବା ମଧ୍ୟ ଦେଖାଯାଏ । କିନ୍ତୁ ମୂଷା ମଦ ପିଇବା ଘଟଣା ହୁଏତ କେହି ବିଶ୍ୱାସ କରି ପାରିବେ ନାହିଁ । ତେବେ ଏକ ପୋଲିସ ଷ୍ଟେସନରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଥାନାରେ ଥିବା କିଛି ବେଆଇନ ମଦ ବୋତଲକୁ ଖାଲି କରିଥିବା ଅଭିଯୋଗରେ ଏକ ମୂଷାକୁ ଗିରଫ କରାଯାଇଛି । ମଦ୍ୟପ ମୂଷା ବର୍ତ୍ତମାନ କୋର୍ଟରେ ହାଜର ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ପ୍ରକୃତରେ ପୋଲିସ ପ୍ଲାଷ୍ଟିକ ବୋତଲରେ ପ୍ୟାକ ହୋଇଥିବା ବେଆଇନ ମଦ ଜବତ କରି ବୋତଲ ଗୁଡ଼ିକୁ ଷ୍ଟୋର ରୁମରେ ରଖିଥିଲା । ତେବେ ଜବତ ମଦକୁ କୋର୍ଟରେ ଉପସ୍ଥାପନ କରିବାର ସମୟରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ପାଇଥିଲା ପୋଲିସ । ଜବତ ହୋଇଥିବା ମଦ ବୋତଲ ଭିତରୁ ଅତି କମରେ ୬୦ଟି ବୋତଲ ଖାଲି ଥିବା ଜାଣିବାକୁ ମିଳିଛି । ପୋଲିସର କହିବା ଅନୁସାରେ, ଏହି ମଦ ବୋତଲ ଗୁଡିକ ମୂଷା ଖାଲି କରିଦେଇଛି । ପୋଲିସ ଷ୍ଟେସନ ବିଲଡିଂ ବହୁତ ପୁରୁଣା ଏବଂ ମୂଷାମାନେ ଏଠାରେ ବୁଲୁଥିବା ଦେଖାଯାଏ ବୋଲି ପୋଲିସ କହିଛି । ଏପରିକି ଥାନାରେ ଥିବା ରେକର୍ଡ ବୁକକୁ ମଧ୍ୟ ସେମାନେ କାଟି ନଷ୍ଟ କରିଦେଉଛନ୍ତି ବୋଲି ସୁପାରିଶ କରିଛି ପୋଲିସ । ଏହାପରେ ପୋଲିସ ମାଲଖାନାରେ ମୂଷା ଧରିବା ପାଇଁ ଯନ୍ତା ମଧ୍ୟ ଲଗାଇଥିଲା, କିଛି ମୂଷା ମଧ୍ୟ ଧରାପଡିଥିଲେ ବି ଆଉ କିଛି ମୂଷାଙ୍କୁ ଧରିବା ସମ୍ଭବ ହୋଇ ପାରି ନାହିଁ । ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି । ମଧ୍ୟପ୍ରଦେଶର ଛିନ୍ଦୱାଡା କୋତୱାଲୀ ପୋଲିସ ଷ୍ଟେସନରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ପୋଲିସ ଅଭିଯୁକ୍ତ ମୂଷାମାନଙ୍କ ମଧ୍ୟରୁ ଗୋଟିଏକୁ ବର୍ତ୍ତମାନ ପ୍ରମାଣ ରୂପେ କୋର୍ଟରେ ହାଜର କରିବ ବୋଲି ଜାଣିବାକୁ ମିଳିଛି । ତେବେ ଏହି ମଦ ପାର୍ଟିରେ କେତେ ମୂଷା ସମ୍ପୃକ୍ତ ଥିଲେ ପୋଲିସ ତାହା ନେଇ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ । ଏଥିସହ ଜବତ ହୋଇଥିବା ମଦ ବୋତଲ ମାମଲା କୋର୍ଟରେ ବିଚାରାଧୀନ ରହିଛି । ଜବତ ମଦ ବର୍ତ୍ତମାନ କୋର୍ଟରେ ଉପସ୍ଥାପିତ ହେବାକୁ ଥିବାରୁ ପୋଲିସ ଏହି ପରିସ୍ଥିତିକୁ ବୁଝାଇବା ପାଇଁ ଏକ ଉପାୟ ଖୋଜିବାକୁ ଚେଷ୍ଟା କରୁଛି ।
ତେବେ ଏହା ପ୍ରଥମ ଘଟଣା ନୁହେଁ ପୋଲିସ ଷ୍ଟେସନରେ ମୂଷା ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି । ଏହାପୂର୍ବରୁ ଯେତେବେଳେ ପୋଲିସ ଶାଜାପୁର ଜିଲା କୋର୍ଟରେ ଏଭଳି ଘଟଣା ବିଷୟରେ ବର୍ଣ୍ଣନା କରିଥିଲା, ସେତେବେଳେ ଜଜ ଏବଂ କୋର୍ଟର ସମସ୍ତ କର୍ମଚାରୀ ହସିଥିଲେ ।