ନିଜ Promise ଭାଙ୍ଗିଦେଲେ ରବିଚନ୍ଦ୍ରନ ଅଶ୍ୱୀନ? ପୂର୍ବ କ୍ରିକେଟରଙ୍କୁ ଦେଲେ ଏମିତି ସମ୍ମାନ

ଓଡ଼ିଶା ଭାସ୍କର: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପରେ ଅଚାନକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ଏହି କଥାକୁ କ୍ରିକେଟପ୍ରେମୀ ଏବଂ ଆନାଲିଷ୍ଟ ସହଜରେ ଗ୍ରହଣ କରିପାରି ନାହାନ୍ତି । ଅଶ୍ୱୀନଙ୍କ ଅଚାନକ ଅବସର ଘୋଷଣା ଏବେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାବ୍ୟତୀତ ଅବସର ପରେ ତାଙ୍କୁ ନେଇ ଏକ ଚର୍ଚ୍ଚା ଜୋର ଧରିଛି । ଅଶ୍ୱୀନ ଫ୍ୟାନ୍ସମାନଙ୍କୁ ଦେଇଥିବା କଥା ରଖି ପାରି ନାହାନ୍ତି ବୋଲି ଆଲୋଚନା ହେବାରେ ଲାଗିଛି । ପୂର୍ବ କ୍ରିକେଟର ଅନିଲ କୁମ୍ବଲେଙ୍କୁ ନେଇ ସେ ଏହି ପ୍ରୋମିଜ କରିଥିଲେ ।

୨୦୧୭ ମସିହା ଇଂଲଣ୍ଡ ବିପକ୍ଷରେ ନିଜ ୧୦୦ତମ ଟେଷ୍ଟ ଖେଳିଥିଲେ ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଏହି ସମୟରେ ତାଙ୍କ ନାମରେ ମୋଟ ୫୧୬ ଟେଷ୍ଟ ୱିକେଟ ରହିଥିଲା । ପୂର୍ବ କ୍ରିକେଟର ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବାକୁ ୧୦୩ ୱିକେଟ ପଛରେ ରହିଥିଲେ ଅଶ୍ୱୀନ । ଏ ନେଇ ଅଶ୍ୱୀନ ନିଜ ଅବସର ସମ୍ପର୍କରେ ଟିପ୍ପଣୀ ରଖିଥିଲେ । ସେ କହିଥିଲେ ଯେ, “ମୁଁ ଅନିଲ କୁମ୍ବଲେଙ୍କ ସମ୍ମାନ କରେ । ତେଣୁ ଟେଷ୍ଟ କ୍ରିକେଟରେ ତାଙ୍କଠାରୁ ଗୋଟିଏ ୱିକେଟ କମ୍ ହାସଲ କରିବାକୁ ଚାହେଁ । ଅନିଲ କୁମ୍ବଲେ ଟେଷ୍ଟ କ୍ରିକେଟରେ ୬୧୯ଟି ୱିକଟେ ନେଇଛନ୍ତି । ଯଦି ମୁଁ ୬୧୮ ୱିକେଟ ପର୍ଯ୍ୟନ୍ତ ପହଞ୍ଚିପାରିବି, ତେବେ ଏହା ମୋର ସୌଭାଗ୍ୟ ହେବ । କିନ୍ତୁ ୬୧୮ ୱିକେଟ ହାସଲ କରିବା ଦିନ ହିଁ ମୋ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ ହେବ ।”

କିନ୍ତୁ ୬୧୮ ୱିକେଟ ହାସଲ କରିବା ପୂର୍ବରୁ ହିଁ ଅବସର ଘୋଷଣା କରି ନେଇଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ବର୍ଡର ଗାଭାସ୍କର ଟ୍ରଫି ମଝିରେ ଅଚାନକ ଅବସର ଘୋଷଣା କରି ଅଶ୍ୱୀନ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସୂଚନା ଥାଉ କି, ଅଶ୍ୱୀନ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲ କରିଥିବା ଭାରତୀୟ ଖେଳାଳି ପାଲଟିଛନ୍ତି । ଅନିଲ କୁମ୍ବଲେ ଟେଷ୍ଟରେ ୬୧୯ ୱିକେଟ ସହ ତାଲିକାର ଶୀର୍ଷରେ ରହିଥିବା ବେଳେ ଅଶ୍ୱୀନ ୧୦୬ଟି ମ୍ୟାଚରୁ ୫୩୭ ଓବିକେଟ ସହ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବୋଲିଂ ସହି ବ୍ୟାଟିଂରେ ମଧ୍ୟ ଦମ୍ ଦେଖାଇଛନ୍ତି ଅଶ୍ୱୀନ । ଟେଷ୍ଟ କ୍ରିକେଟରେ ମୋଟ ୬ଟି ଶତକ ସହିତ ୩୫୦୩ ରନ୍ କରିବାରେ ସଫଳ ହୋଇଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ ।