fbpx
BSKY SKY
BSKY SKY

ଅନିଲ କୁମ୍ବଲେଙ୍କ ବିରାଟ ରେକର୍ଡ ଭାଙ୍ଗିବେ ରବିଚନ୍ଦ୍ରନ ଅଶ୍ୱୀନ! ରାଜକୋଟରେ ମିଳିବ ବଡ଼ ସୁଯୋଗ

BSKY

ନୂଆଦିଲ୍ଲୀ: ଫେବୃଆରୀ ୧୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ରାଜକୋଟରେ ଖେଳାଯିବାକୁ ଏହି ଟେଷ୍ଟ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଯାଇଛି । ତେବେ ଏହି ତୃତୀୟ ମ୍ୟାଚରେ ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ପାଖରେ ଏକ ବଡ଼ ରେକର୍ଡ ଭାଙ୍ଗିବା ପାଇଁ ସୁଯୋଗ ରହିଛି । ଟିମ ଇଣ୍ଡିଆର ଷ୍ଟାର ଲେଗ୍ ସ୍ପିନର ଅନିଲ କୁମ୍ବଲେଙ୍କୁ ପଛରେ ପକାଇପାରନ୍ତି ଅଶ୍ୱୀନ । ଏହି ରେକର୍ଡକୁ ବର୍ତ୍ତମାନ ସୁଦ୍ଧା କେବଳ ଅନିଲ କୁମ୍ବଲେ ହିଁ ନିଜ ନାମରେ କରି ପାରିଛନ୍ତି । ତେବେ ଏହି ମ୍ୟାଚରେ ଅଶ୍ୱୀନଙ୍କ ପାଖରେ ଏହି କ୍ଲବରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ରବିଚନ୍ଦ୍ରନ ଅଶ୍ୱୀନ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ୯୭ଟି ଟେଷ୍ଟ ମ୍ୟାଚରେ ମୋଟ ୩୪ ଥର ୫ଟି ୱିକେଟ ହାସଲ କରିଛନ୍ତି । ତେବେ ଅନିଲ କୁମ୍ବଲେ ଟିମ ଇଣ୍ଡିଆ ପାଇଁ ୧୩୨ ଟେଷ୍ଟ ମ୍ୟାଚରୁ ମୋଟ ୩୫ ଥର ଏହି ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି । ତେବେ ଇଂଲଣ୍ଡ ବିପକ୍ଷରେ ରବିଚନ୍ଦ୍ରନ ଅଶ୍ୱୀନ ତୃତୀୟ ଟେଷ୍ଟରେ ୫ଟି ୱିକେଟ ହାସଲ କରିପାରିଲେ ସେ ଅନିଲ କୁମ୍ବଲେଙ୍କ ଏହି ବଡ଼ ରେକର୍ଡ ସହ ସମକକ୍ଷ ହୋଇପାରିବେ । ରବିଚନ୍ଦ୍ରନ ଅଶ୍ୱୀନ ବର୍ତ୍ତମାନ ସୁଦ୍ଧା ମୋଟ ୪୯୯ଟି ୱିକେଟ ନିଜ ନାମରେ କରିଛନ୍ତି । ଏହାପୂର୍ବରୁ ହରଭଜନ ସିଂହ ୨୫ ଥର ୫ଟି ୱିକେଟ ହାସଲ କରିଥିବା ବେଳେ କପିଳ ଦେବ ୨୩ ଥର ଏହି କାରନାମା କରିବାରେ ସଫଳ ହୋଇଛନ୍ତି ।

ରବି ଅଶ୍ୱୀନ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୯୭ଟି ଟେଷ୍ଟ ମ୍ୟାଚରେ ୪୯୯ ୱିକେଟ ହାସଲ କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ୱିକେଟ ଅକ୍ତିଆର କଲେ ନିଜ ନାମରେ ମୋଟ ୫୦୦ ୱିକେଟ ସହ ଇତିହାସ ସୃଷ୍ଟି କରିପାରିବେ । ଏହାସହିତ ୫୦୦ ୱିକେଟ ହାସଲ କରିବା ତାଲିକାରେ ଅଶ୍ୱୀନ ଦ୍ୱିତୀୟ ବୋଲର ହୋଇପାରନ୍ତି । ଏହାପୂର୍ବରୁ କେବଳ ଲେଗ୍ ସ୍ପିନର ଅନିଲ କୁମ୍ବଲେ ୫୦୦ ବା ଏହାଠାରୁ ଅଧିକ ଟେଷ୍ଟ ୱିକେଟ ହାସଲ କରିଛନ୍ତି । କୁମ୍ବଲେ ଟେଷ୍ଟ କ୍ରିକେଟରେ ମୋଟ ୬୧୯ ୱିକେଟ ନିଜ ନାମରେ କରିଛନ୍ତି ।

ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ(୮୦୦) ହାସଲ କରିବା ତାଲିକାରେ ଶୀର୍ଷରେ ରହିଛନ୍ତି ମୁଥେୟା ମୁରଲୀଧରନ । ଏହାପରେ ଶେନ୍ ୱାର୍ଣ୍ଣ ୭୦୮ ୱିକେଟ ସହ ଦ୍ୱିତୀୟରେ ଥିବା ବେଳେ ଜେମ୍ସ ଆଣ୍ଡରସନ୍ ୬୯୫ ୱିକେଟ ସହ ତୃତୀୟ ଏବଂ ଅନିଲ କୁମ୍ବଲେ ୬୧୯ ୱିକେଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ରବିଚନ୍ଦ୍ରନ ଅଶ୍ୱୀନ ଏହି ତାଲିକାରେ ନବମ ସ୍ଥାନରେ ରହିଥିବା ବେଳେ ତାଙ୍କ ନାମରେ ମୋଟ ୪୯୯ଟି ୱିକେଟ ରହିଛି ।

Get real time updates directly on you device, subscribe now.