ନୂଆଦିଲ୍ଲୀ: ମୁଦ୍ରା ନୀତି କମିଟି (ଏମପିସି)ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛି । ରିଟେଲ ଡାଇରେକ୍ଟ ସ୍କିମକୁ ଗୁରୁତ୍ୱ ଦେବା ପାଇଁ ଆରବିଆଇ ଏକ ନୂଆ ମୋବାଇଲ ଆପ୍ ପ୍ରସ୍ତୁତ କରୁଛି । ସାଧାରଣ ଭାବେ ଏଲଆଇସି, ଏସବିଆଇ ପରି ଦେଶର ବଡ଼ ବଡ଼ ଆର୍ଥିକ ସଂସ୍ଥା ସରକରା ସିକ୍ୟୁରିଟିଜ (ବଣ୍ଡସ)ରେ ନିବେଶ କରିଥାନ୍ତି । ମାତ୍ର ସାଧାରଣ ଜନତା ସେଥିରେ ନିବେଶ କରିବା ମୁସ୍କିଲ ହୋଇଥାଏ । ତେଣୁ ରିଟେଲ ଇନଭେଷ୍ଟକୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଆରବିଆଇ ଏକ ମୋବାଇଲ ଆପ୍ ବିକଶିତ କରୁଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।
ସାଧାରଣ ଲୋକଙ୍କର ସରକାରୀ ସିକ୍ୟୁରିଟିଜରେ ନିବେଶକୁ ସୁଗମ କରିବା ପାଇଁ ଆରବିଆଇ ଏକ ନୂଆ ମୋବାଇଲ୍ ଆପ୍ ପ୍ରସ୍ତୁତ କରୁଛି ବୋଲି ଏପ୍ରିଲ ମାସର ମୁଦ୍ରା ନୀତି ସମୀକ୍ଷା ଉପସ୍ଥାପନ କରିବା ଅବସରରେ ଶ୍ରୀ ଦାସ କହିଥିଲେ । ଗତ ୨୦୨୧ ମସିହା ନଭେମ୍ବର ମାସରେ ଆରବିଆଇ ଏକ ରିଟେଲ ‘ଡାଇରେକ୍ଟ ସ୍କିମ’ ଆଣିଥିଲା । ଇଣ୍ଡିଭିଜୁଆଲ ନିବେଶକଙ୍କୁ ସରକାରୀ ସିକ୍ୟୁରିଟିଜରେ ନିବେଶ ସୁବିଧା ପ୍ରଦାନ କରିବା ତା’ର ଲକ୍ଷ୍ୟ ରହିଥିଲା । ଉକ୍ତ ସ୍କିମ ମାଧ୍ୟମରେ ନିବେଶକମାନେ ପ୍ରାଇମେରୀ ବିଡିଂରେ ସରକାରୀ ସିକ୍ୟୁରିଜ କିଣିବା ସହିତ ଏନଡିଏସ-ଓଏମ ପ୍ଲାଟଫର୍ମରେ ଟ୍ରେଡ କରିବାର ସୁବିଧା ପାଇବେ ।
ସରକାରୀ ବଣ୍ଡସରେ ଏହି ରିଟେଲ ଇନଭେଷ୍ଟମେଣ୍ଟକୁ ଅଧିକ ସହଜସାଧ୍ୟ କରାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏକ ‘ଡାଇରେକ୍ଟ ପୋର୍ଟାଲ’ର ମୋବାଇଲ ଆପ୍ ଡେଭଲପ୍ କରୁଛି । ଏହି ଆପ୍ ସହାୟତାରେ ନିବେଶକମାନେ ନିଜ ପସନ୍ଦ ମୁତାବକ ସରକାରୀ ବଣ୍ଡସରେ ନିବେଶ କରିପାରିବେ । ଏହି ମୋବାଇଲ ଆପ୍ ଖୁବଶୀଘ୍ର ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ ।