RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ‘ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର’ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପୁଣି ମିଳିଛି ଏକ ବଡ଼ ପୁରସ୍କାର । ‘ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଶ୍ରୀ ଦାସ । ତିନି କେନ୍ଦ୍ରୀୟ ଗଭର୍ଣ୍ଣରଙ୍କ ଲିଷ୍ଟରେ ଶକ୍ତିକାନ୍ତଙ୍କୁ ଟପରେ ରଖାଯିବା ସହିତ ତାଙ୍କୁ ‘ଏ ପ୍ଲସ’ ରେଟିଂ ମିଳିଛି । ଆମେରିକାର ପତ୍ରିକା ‘ଗ୍ଲୋବାଲ ଫାଇନାନ୍ସ’ ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଶକ୍ତିକାନ୍ତ ଦାସ ଏହି ପୁରସ୍କାର ହାସଲ କରିଛନ୍ତି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅର୍ଥନୀତି ଅଭିବୃଦ୍ଧି ଲକ୍ଷ୍ୟ, ମୁଦ୍ରା ସ୍ଥିରତା, ସୁଧ ହାର ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଶକ୍ତିକାନ୍ତଙ୍କୁ ଏହି ପୁରସ୍କାର ମିଳିଛି ।

ସୂଚନାଯୋଗ୍ୟ ଯେ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବିଶ୍ୱ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର ପୁରସ୍କାର ପ୍ରଦାନ କରାଯାଇଛି । ଶକ୍ତିକାନ୍ତଙ୍କୁ ‘ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର’ ପୁରସ୍କାର ମିଳିବା ନେଇ ସୋସିଆଲ ମିଡ଼ିଆରେ ଆରବିଆଇ ପକ୍ଷରୁ ଏକ ପୋଷ୍ଟ ଶେୟାର କରାଯାଇଛି । ‘ଗ୍ଲୋବାଲ ଫାଇନାନ୍ସ’ ଦ୍ୱାରା ଆମେରିକାର ୱାଶିଂଟନ ଡିସିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶକ୍ତିକାନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ‘ଏ ପ୍ଲସ’ ରେଟିଂ ଦିଆଯାଇଥିବା ୩ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଲିଷ୍ଟରେ ଶକ୍ତିକାନ୍ତଙ୍କୁ ଶୀର୍ଷରେ ରଖାଯାଇଥିଲା ।