fbpx

ଆରବିଆଇ କରୁଛି ନୂଆ ବିଚାର: ଭାରତୀୟ ମୁଦ୍ରାରେ ଦେଖାଯାଇ ପାରେ ଅବଦୁଲ କଲାମ ଓ ରବିନ୍ଦ୍ରନାଥ ଟାଗୋରଙ୍କ ଚିତ୍ର!

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତୀୟ ମୁଦ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭବିଷ୍ୟତରେ ଭାରତୀୟ ମୁଦ୍ରାରେ ଏପିଜେ ଅବଦୁଲ କଲାମ ଓ ରବିନ୍ଦ୍ରନାଥ ଟାଗୋରଙ୍କ ଚିତ୍ର ଦେଖିବାକୁ ମିଳିପାରେ ବୋଲି ସୂଚନା ମିଳିଛି । ଭାରତୀୟ ମୁଦ୍ରାରେ ଦେଶର ପିତା ମହାତ୍ମା ଗାନ୍ଧିଙ୍କର ଚିତ୍ର ବର୍ତ୍ତମାନ ସୁଦ୍ଧା ବ୍ୟବହାର କରାଯାଉଥିବା ବେଳେ ଭବିଷ୍ୟତରେ ମହାତ୍ମା ଗାନ୍ଧିଙ୍କ ସହ ଏପିଜେ ଅବଦୁଲ କଲାମ ଓ ରବିନ୍ଦ୍ରନାଥ ଟାଗୋରଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳିପାରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତୀୟ ମୁଦ୍ରାରେ ୱାଟରମାର୍କ ବଦଳାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ସୂତ୍ରର ପ୍ରକାଶ ଯେ ଆରବିଆଇ ଓ ସିକ୍ୟୁରିଟି ପ୍ରିଣ୍ଟିଙ୍ଗ ଏଣ୍ଡ ମିଟିଙ୍ଗ କର୍ପୋରେଶନ ଅଫ ଇଣ୍ଡିଆ ଏହି ପ୍ରକ୍ରିୟା ପାଇଁ ଦିଲ୍ଲୀ ଆଇଆଇଟିର ଏମୋରିଟସ ପ୍ରଫେସର ଦିଲିପ ଟି ଶାହାଣୀଙ୍କ ନିକଟକୁ ଅବଦୁଲ କଲାମ ଓ ରବିନ୍ଦ୍ରନାଥ ଟାଗୋରଙ୍କ ୱାଟରମାର୍କର ନମୁନାର ଦୁଇଟି ସେଟ ପଠାଇଛନ୍ତି । ପ୍ରଫେସର ଏହି ଦୁଇଟି ସେଟ ମଧ୍ୟରୁ ଏକ ସେଟ ବାଛି ସରକାରଙ୍କୁ ତାଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ଉପସ୍ଥାପନ କରିବାକୁ କୁହାଯାଇଛି । ସୂଚନାନୁସାରେ ଏହାର ଶେଷ ନିଷ୍ପତ୍ତି ସର୍ବୋଚ୍ଚ ସ୍ତରର ଏକ ବୈଠକରେ ନିଆଯିବ ।

ସୂଚନା ଥାଉ କି ମୁଦ୍ରାରେ ଏକାଧିକ ଅଙ୍କ ବିଶିଷ୍ଟ ୱାଟର ମାର୍କ ଅନ୍ତର୍ଭୁକ୍ତ କରିବାର ସମ୍ଭାବନାକୁ ଅନୁସନ୍ଧାନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଉଛି । ଆରବିଆଇ ପ୍ରଥମଥର ପାଇଁ ମହାତ୍ମା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତିଙ୍କ ଚିତ୍ରକୁ ଭାରତୀୟ ମୁଦ୍ରାରେ ସ୍ଥାପନ କରିବାର ବିଚାର କରୁଛି ।

 

 

Get real time updates directly on you device, subscribe now.