fbpx

ଭାରତରେ ଚାଲିବ ଡିଜିଟାଲ କରେନ୍ସି, ସୂଚନା ଦେଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତରେ ଆରମ୍ଭ ହେବ ଡିଜିଟାଲ କରେନ୍ସି । ପ୍ରଥମ ପର୍ଯ୍ୟାୟରେ ଏହା ନଭେମ୍ବର ୧ ତାରିଖରୁ “ହୋଲସେଲ’ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ପରୀକ୍ଷା କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। ଭାରତୀୟ ଡିଜିଟାଲ କରେନ୍ସି ସିବିଡିସି ପାଇଁ ୫୦ ପୃଷ୍ଟାର ସୂଚନା ପ୍ରଦାନ କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ଘୋଷଣା କରିଛି । ଏକ ବିବୃତ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କହିଛି ଯେ ‘ସରକାରୀ ସିକ୍ୟୁରିଟିରେ ସେକେଣ୍ଡାରୀ ମାର୍କେଟ କାରବାରର ସମାଧାନ ପାଇଁ ହୋଲସେଲ ଡିଜିଟାଲ ଟଙ୍କା ନିୟୋଜିତ ହେବ’ ଯାହା ଏହା କାରବାର ଖର୍ଚ୍ଚ ହ୍ରାସ କରିବ।

ମାସକ ମଧ୍ୟରେ ଡିଜିଟାଲ ଟଙ୍କା (ଖୁଚୁରା)ର ପାଇଲଟ ପ୍ରକଳ୍ପ ଆରମ୍ଭ ହେବ। କିଛି ସୀମିତ ଗ୍ରାହକ ଓ ସ୍ଥାନରେ ଏହାର ପରୀକ୍ଷାମୂଳକ ପ୍ରଚଳନ କରାଯିବ। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହୋଲସେଲ ସେଗମେଣ୍ଟରେ ଏହାର ପ୍ରଚଳନ ହେବ। ୯ଟି ବ୍ୟାଙ୍କ ସରକାରୀ ସିକ୍ୟୁରିଟିରେ ନେଣଦେଣ ପାଇଁ ଡିଜିଟାଲି କରେନ୍ସିର ବ୍ୟବହାର କରିବେ। ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍‌ଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ,ୟେସ୍ ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଏବଂ ଏଚ୍‌ଏସ୍‌ବିସି ବ୍ୟାଙ୍କ ଡିଜିଟାଲି କରେନ୍ସିର ବ୍ୟବହାର କରିବେ। ବୋଲି ଆର୍‌ବିଆଇ କହିଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ମାସରେ ଭାରତର ବହୁ ପ୍ରତୀକ୍ଷିତ ଡିଜିଟାଲ ମୁଦ୍ରା ଉପରେ ସୂଚନା ଦେଇଥିଲେ। ସିବିଡିସିର ପରିଚୟ ଡିଜିଟାଲ ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ଏହା ବ୍ଲକ୍ ଚେନ୍ ଟେକ୍ନୋଲୋଜି ଉପରେ ଆଧାରିତ ହେବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ତେବେ ସିବିଡିସି କ୍ରିପ୍ଟୋ କାରେନ୍ସି ନୁହେଁ। ଏହା ହେଉଛି ଟଙ୍କାର ଡିଜିଟାଲ୍ ଫର୍ମ ଏବଂ ବ୍ୟକ୍ତିଗତ ଭର୍ଚୁଆଲ୍ ମୁଦ୍ରାଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ। ସିବିଡିସି ହେଉଛି ଚାଲୁଥିବା ମୁଦ୍ରାର ଡିଜିଟାଲ୍ ଫର୍ମ ଏବଂ କାରବାରକୁ ସହଜ କରିବ। ଏକ ଆରବିଆଇ ରିପୋର୍ଟ ପୂର୍ବରୁ ସିବିଡିସି’କୁ ବର୍ଣ୍ଣନା କରିଥିଲା ଯାହାକି ଶାରୀରିକ ନଗଦ ପାଇଁ ଏକ ନିରାପଦ, ଦୃଢ଼ ଏବଂ ସୁବିଧାଜନକ ବିକଳ୍ପ ଯୋଗାଇବ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

Get real time updates directly on you device, subscribe now.