ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ରିଟେନସନ ପ୍ରକ୍ରିୟା ଶେଷ ହେବା ପରେ ଏବେ ଅକ୍ସନକୁ ଅପେକ୍ଷା । ନଭେମ୍ବର ୨୪ ଏବଂ ୨୫ ତାରିଖରେ ଆସନ୍ତା ସିଜନ ପାଇଁ ମେଗା ଅକ୍ସନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରତ୍ୟେକ ଦଳ ଅଙ୍କକଷା ଆରମ୍ଭ କରି ସାରିଲେଣି । ମେଗା ଅକ୍ସନରେ କେଉଁ ଦଳ କେଉଁ ଖେଳାଳିଙ୍କୁ ଟାର୍ଗେଟ କରିବ, ସେଥିପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ଗଣିତ । ତେବେ ବିରାଟ କୋହଲିଙ୍କ ଆରସିବି ଆଗାମୀ ସିଜନ ପାଇଁ ୪ ଜଣ ଷ୍ଟାର ଖେଳାଳିଙ୍କ ଉପରେ ନଜର ରଖିଛି । ଆସନ୍ତା ସିଜନରେ ସେମାନଙ୍କୁ ଦଳରେ ସାମିଲ କରିବାକୁ କୋଟି କୋଟି ଟଙ୍କାର ନିଲାମ ଡାକିପାରେ ଆରସିବି ।
ଆସନ୍ତା ସିଜନରେ ପୁଣିଥରେ ବିରାଟ କୋହଲି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁର ନେତୃତ୍ୱ ଗ୍ରହଣ କରିପାରନ୍ତି । ତେବେ ସିଜନ ପାଇଁ ମେଗା ନିଲାମୀ ପୂର୍ବରୁ ଦଳର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ଆରସିବିକୁ ବଡ଼ ପରାମର୍ଶ ଦେଇଛନ୍ତି । ଅକ୍ସନରେ ୪ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଭରପୂର ଚେଷ୍ଟା କରିବାକୁ କହିଛନ୍ତି ଡିଭିଲିୟର୍ସ । ତାଲିକାରେ ୨ ଜଣ ଷ୍ଟାର ସ୍ପିନର ଏବଂ ୨ ଷ୍ଟାର ପେସ୍ ବୋଲରଙ୍କ ନାଁ ସାମିଲ ରହିଛି ।
ୟୁଜବେନ୍ଦ୍ର ଚହଲ: ଡିଭିଲିୟର୍ସଙ୍କ ତାଲିକାର ପ୍ରଥମରେ ରହିଛନ୍ତି ୟୁଜବେନ୍ଦ୍ର ଚହଲ । ଚଳିତବର୍ଷ ରାଜସ୍ଥାନ ରୋୟଲ୍ସ ତାଙ୍କ ରିଲିଜ କରିଛି । ତେଣୁ ମେଗା ଅକ୍ସନରେ ଚହଲଙ୍କୁ ଦଳରେ ସାମିଲ କରିବା ପାଇଁ ଡିଭିଲିୟର୍ସ ପରାମର୍ଶ ଦେଇଛନ୍ତି । ପୂର୍ବର ଚହଲ ଆରସିବି ପାଇଁ ଅନେକ ମ୍ୟାଚ ଖେଳି ସାରିଛନ୍ତି ।
କାଗିସୋ ରାବାଡା: ଡିଭିଲିୟର୍ସଙ୍କ ଏହି ତାଲିକାର ଦ୍ୱିତୀୟରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର କାଗିସୋ ରାବାଡା । ବର୍ତ୍ତମାନ ସମୟରେ ଟେଷ୍ଟରେ ଶୀର୍ଷ ସ୍ଥାନରେ ତାଙ୍କ ନାମ ରହିଥିବା ବେଳେ ସେ ମଧ୍ୟ ମେଗା ଅକ୍ସନରେ ପଞ୍ଜିକରଣ କରିଛନ୍ତି । ତେଣୁ ତାଙ୍କୁ ସାମିଲ କରିବା ଦଳ ପାଇଁ ଖୁବ ଲାଭବାନ୍ ହୋଇପାରେ । ତେବେ ରାବାଡାଙ୍କୁ ସାମିଲ କରିବା ପାଇଁ ଯେକୌଣସି ଦଳକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ ।
ରବିଚନ୍ଦ୍ରନ ଅଶ୍ୱୀନ: ସେହିପରି ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମଧ୍ୟ ଦଳର ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି ଡିଭିଲିୟର୍ସ । ଆସନ୍ତା ସିଜନ ପାଇଁ ରାଜସ୍ଥାନ ରୋୟଲ୍ସ ଅଶ୍ୱୀନଙ୍କୁ ରିଲିଜ କରିଥିବା ବେଳେ ଆରସିବି ତାଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରିବା ଉଚିତ୍ ବୋଲି କହିଛନ୍ତି ଡିଭିଲିୟର୍ସ ।
ଭୁବନେଶ୍ୱର କୁମାର: ଟିମ ଇଣ୍ଡିଆର ଭେଟେରାନ୍ ପେସ୍ ବୋଲର ଭୁବନେଶ୍ୱର କୁମାରଙ୍କୁ ସନରାଇଜର୍ସ ହାଇଦ୍ରାବାଦ ରିଲିଜ କରିଛି । ତେଣୁ ଆସନ୍ତା ସଜନ ପାଇଁ ଭୁବି ଅନେକ ଦଳର ଟାର୍ଗେଟରେ ରହିବେ । ତେଣୁ ଆରସିବି ମଧ୍ୟ ତାଙ୍କୁ ଟାର୍ଗେଟ କରିବା ଉଚିତ୍ । ନିଜ ସ୍ୱିଙ୍ଗ ଏବଂ ପେସରେ ସେ ଦଳ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବେ ।