fbpx

ଗୁଜରାଟରେ ମିଳିଲା ବାସୁକୀ ନାଗର ଅବଶେଷ, ପୁରାଣରେ ସମୁଦ୍ର ମନ୍ଥନରେ ହୋଇଥିଲା ସହାୟକ

ନୂଆଦିଲ୍ଲୀ: ଗୁଜରାଟ କଚ୍ଛରେ ସବୁଠାରୁ ବୃହତ୍ତ ନାଗର ଅବଶେଷ ମିଳିଛି । ଏହି ନାଗ ହେଉଛି ଆମେ ପୁରାଣରେ ପଢିଥିବା ବାସୁକୀ ନାଗ ଯେଉଁଥିରେ ଦେବଗଣ ସମୁଦ୍ର ମନ୍ଥନ କରିଥିଲେ । ଆଇଆଇଟି ରୁର୍‌କୀର ବୈଜ୍ଞାନିକମାନେ ଏହି ବାସୁକୀ ନାଗର ଜୀବାଶ୍ମ ସନ୍ଧାନ କରିଛନ୍ତି । ଏହି ଜୀବାଶ୍ମ ପ୍ରାୟ ୫ କୋଟି ବର୍ଷ ପୁରୁଣା । ଏହି ସାପର ଲମ୍ବ ୧୧ରୁ ୧୫ ମିଟର ଓ ଗୋଲେଇ ୧୭ ଇଞ୍ଚ । ଏହାର ଓଜନ ୧ ଟନ୍‌ରୁ ଅଧିକ ହେବ । ଏହାକୁ ବୈଜ୍ଞାନିକ ବାସୁକୀ ଇଣ୍ଡିକସ୍ ନାମ ଦେଇଛନ୍ତି । ତେବେ ବର୍ତ୍ତମାନର ସବୁଠାରୁ ବଡ ଜୀବିତ ସାପ ହେଉଛି ଏସିଆର ୧୦ମିଟର ଲମ୍ବ(୩୩ ଫୁଟ) ଜାଲିଦାର ଅଜଗର ।

ଆଇଆଇଟି ରୁର୍‌କୀର ବୈଜ୍ଞାନିକ କହିଛନ୍ତି ଗୁଜୁରାଟରେ ମିଳିଥିବା ସାପର ଜୀବାଶ୍ମ ଏ ପର୍ଯ୍ୟନ୍ତ ସବୁଠାରୁ ବୃହତ୍ତ ସାପର ଅବଶେଷ ଅଟେ । ଏହି ସାପ ଡାଇନୋସର ଠାରୁ ମଧ୍ୟ ବଡ । ବାସୁକୀ ଇଣ୍ଡିକସ୍‌ର ସନ୍ଧାନ ୨୦୦୫ରେ ଆଇଆଇଟି ରୁୁର୍‌କୀର ବୈଜ୍ଞାନିକମାନେ କରିଥିଲେ । କିନ୍ତୁ ଏହା ଉପରେ ଗଭୀର ଅଧ୍ୟୟନ କରାଯାଇ ନ ଥିଲା । ଏଥିରୁ ୨୭ ବଡ ବଡ କଙ୍କାଳ ଖଣ୍ଡ ମିଳିଥିଲା । ପ୍ରଥମେ ବୈଜ୍ଞାନିକମାନେ ଭାବିଥିଲେ ଏହା ଏକ ବିଶାଳ କୁମ୍ଭୀରର ଅବଶେଷ । କିନ୍ତୁ ଏବେ ଏହା ଖୁଲାସା ହୋଇଛି କି ଏହା ଦୁନିଆର ସବୁଠାରୁ ବଡ ସାପ ବାସୁକୀ ନାଗର ଅବଶେଷ । ବୈଜ୍ଞାନିକଙ୍କ ଏହି ଆବିଷ୍କାର କେବଳ ପ୍ରାଣୀଙ୍କ ବିକାଶ ପ୍ରକ୍ରିୟାକୁ ପରିପ୍ରକାଶ କରିନାହିଁ ବରଂ ଭାରତରେ ପ୍ରାଚୀନ ସରୀସୃପଙ୍କ ଉପରେ ବହୁ ତଥ୍ୟ ସାମ୍ନାକୁ ଆସିଛି ।

ଏହି ଜୀବାଶ୍ମ କଚ୍ଛର ପନାନ୍ଧ୍ରୋ ଗାଁରୁ ମିଳିଛି ଯାହା ଆଜି ମରୁଭୂମି ପାଲଟିଯାଇଛି । କିନ୍ତୁ ବାସୁକୀ ପୃଥିବୀ ପୃଷ୍ଠରେ ଥିବା ବେଳେ ଏହି ଅଞ୍ଚଳ ସନ୍ତସନ୍ତିଆ ଥିଲା । ବାସୁକୀ ସାପର କଙ୍କାଳ ମିଳିଥିଲେ ବି ଏହାର ମୁଣ୍ଡ ମିଳିନାହିଁ ।

Get real time updates directly on you device, subscribe now.