fbpx

ମହାନଦୀ ଡଙ୍ଗା ବୁଡ଼ି ଘଟଣା: ମୃତକଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଶରଧାରେ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଓ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଡଙ୍ଗାରେ ୫୦ ଜଣ ଯାତ୍ରୀ ଥିବାବେଳେ ସମସେତ ଛତିଶଗଡ଼ର ବୋଲି ଜଣାପଡ଼ିଥିଲା ।

ଏଥିସହିତ ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳରେ ଆରସିଡି, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଖୋଜ ଥିବା ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ ଜଣ ସ୍କୁବା ଡ୍ରାଇଭର ଓ ୨ଟି ସର୍ଚ୍ଚ କ୍ୟାମେରା ବିମାନ ଯୋଗେ ଝାରସୁଗୁଡ଼ା ପଠାଯାଉଛି ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିବା ବେଳେ ଡଙ୍ଗାଟି ବୁଡ଼ିଯାଇଥିଲା । ଉକ୍ତ ଡଙ୍ଗାରେ ୫୦ରୁ ଅଧିକ ପୁରୁଷ, ମହିଳା ଓ ଛୋଟ ପିଲା ଯାତ୍ରା କରୁଥିଲେ । ୩୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କ ପତ୍ତା ମିଳିନାହିଁ । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ଼ର ଖରସେନି ଅଞ୍ଚଳର ଓ ସେମାନେ ଆମ୍ବଭୋନା ବ୍ଲକର ପଥର ସେନିକୁ ବୁଲିବାକୁ ଯାଉଥିଲେ ।

Get real time updates directly on you device, subscribe now.