ଡିସେମ୍ବର 31 ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ, ଦିନେ ଦୁଇଦିନ ଭିତରେ ଆରମ୍ଭ ହେବ କାର୍ଯ୍ୟ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ବଡ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜସ ହରିଚନ୍ଦନ । ଦିନେ ଦୁଇଦିନ ଭିତରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବା ନେଇ ମନ୍ତ୍ରୀ କହିଛନ୍ତି । ଡିସେମ୍ବର 31 ତାରିଖ ସୁଦ୍ଧା ଏହି ମରାମତି କାର୍ଯ୍ୟ ଶେଷ ହେବ । ଏହାସହିତ ରତ୍ନଭଣ୍ଡାର ଗଣତି ମଣତି ମଧ୍ୟ ଡିସେମ୍ବର 31 ତାରିଖ ସୁଦ୍ଧା ଶେଷ ହୋଇଯିବ । ଆଇନ ମନ୍ତ୍ରୀ ଆଜି ଏହି ସୂଚନା ଦେଇଛନ୍ତି ।

ପୃଥ୍ହୀରାଜ ହରିଚନ୍ଦନଙ୍କ କହିବା ଅନୁସାରେ, “ଜିପିଏସ ରିପୋର୍ଟରେ ରତ୍ନ ଭଣ୍ଡାରରେ ଅନ୍ୟ କିଛି ସୁଡଙ୍ଗ ନାହିଁ । ଧାତବ ପଦାର୍ଥ ନେଇ ଯେଉଁ ପରିକଳ୍ପନା କରାଯାଉଥିଲା, ସେମିତି କିଛି ନାହିଁ । କୌଣସି ଧାତବ ଅଲଙ୍କାର ମିଳି ନାହିଁ । ଦ୍ବିତୀୟ ପର୍ଯ୍ୟାୟରେ ଛତିଶା ନିଯୋଗ ସହିତ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ସରିଛି । ଆଜି ଏଏସଆଇ ସିଡ୍ୟୁଲ ଦାଖଲ କରିବ । ତୁରନ୍ତ କାମ ଆରମ୍ଭ କରିବା ପାଇଁ ଏଏସଆଇକୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ରତ୍ନ ଭଣ୍ଡାରର ଭିତର ସଫା ହେବା ପରେ ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି ମରାମତି ଶେଷ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରହିଥିବା ଅଳଙ୍କାର ଭିତରକୁ ଯିବ। ଏହାପରେ ଏକ ସୁରକ୍ଷିତ ପରିବେଶରେ ଗଣତି ମଣତି କରାଯିବ ।  “