fbpx

ଦିବ୍ୟାଙ୍ଗ ପାଇଁ ପ୍ରତି ଜିଲ୍ଳା ଓ ବ୍ଲକରେ ଖୋଲିବ ରିସୋର୍ସ ସେଣ୍ଟର: ସମସ୍ତ BEO ଏବଂ DEOଙ୍କୁ ନିର୍ଦ୍ଦେଶ ଦେଲା OSEPA

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିବ୍ୟାଙ୍ଗ ପିଲାଙ୍କ ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟର ପ୍ରତି ବ୍ଲକ ଓ ଜିଲ୍ଲାରେ ରିସୋର୍ସ ସେଣ୍ଟର ଖୋଲିବ । ଏଥିସହିତ ୫ଟି ମହାନଗର ନିଗମରେ ଏହି ସେଣ୍ଟର ଖୋଲାଯିବ ଓ ଏହି ସେଣ୍ଟରମାନଙ୍କରେ ସେମାନଙ୍କୁ କାଉନସେଲିଂ କରାଯିବ । ଚିକିତ୍ସା ମାଧ୍ୟମରେ ପିଲାମାନଙ୍କୁ ଅଡିଓ ଥେରାପି, ସ୍ପିଚ ଥେରାପି ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯିବ ।

ତେବେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ସମସ୍ତ ବ୍ଲକ ଓ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) । ୨ ଲକ୍ଷ ୮୦ ଟଙ୍କା ବ୍ୟୟରେ ଜିଲ୍ଲା ମୁଖ୍ୟାଳୟରେ ଏହି ସେଣ୍ଟର ଖୋଲାଯିବ । ଆସନ୍ତା ୧୪ ତାରିଖ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ସେହିପରି ବ୍ଲକ ଅଫିସ ନିକଟରେ ଥିବା ସ୍କୁଲରେ ରିସୋର୍ସ ସେଣ୍ଟର ଖୋଲାଯିବ । ଏଥିପାଇଁ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଆସନ୍ତା ମାସ ୩ ତାରିଖ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ।

ବ୍ଲକ ସ୍ତରରେ ସ୍ଥାପନ ହୋଇଥିବା କେନ୍ଦ୍ରରେ ସାଇନ୍ ବୋର୍ଡ ଲାଗିବ । ଜଣେ ବିଆରପିଙ୍କୁ ଏହି ସେଣ୍ଟରର ଦାୟିତ୍ୱ ଦିଆଯିବ । ବିଭିନ୍ନ ଅନଲାଇନ, ଅଫଲାଇନ କାର୍ଯ୍ୟକ୍ରମକୁ ରେକର୍ଡ କରି ରଖାଯିବ । ସମସ୍ତ ସେଣ୍ଟରରେ ପିଲାଙ୍କୁ ସୁହାଇଲା ଭଳି ଶୌଚାଳୟ ନିର୍ମାଣ କରାଯିବ । ସମୟ ମଧ୍ୟରେ ଏହି ସବୁ ସେଣ୍ଟରକୁ ପ୍ରସ୍ତୁତ କରିବା ନେଇ ବିଇଓ ଓ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟ ସରକାରଙ୍କର ଏହି ନୂଆ ନିଷ୍ପତ୍ତି ଫଳରେ ଦିବ୍ୟାଙ୍ଗ ପିଲାମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.