fbpx

ରେଟ୍ରୋ ଟ୍ୟାକ୍ସ ନିୟମରେ ଉଚ୍ଛେଦ କଲେ କେନ୍ଦ୍ର ସରକାର; ଜାଣନ୍ତୁ କଣ ମିଳିବ ସୁବିଧା

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ରେଟ୍ରୋ ଟ୍ୟାକ୍ସ ବିଲ ଆଗତ କରିଛନ୍ତି । ବିଲଟି ପାଶ ହେବା ସହିତ ପୁରୁଣା ଆୟକର ନିୟମକୁ ଉଚ୍ଛେଦ କରାଯାଇଛି । ଫଳସ୍ୱରୂପ ବିଭିନ୍ନ କମ୍ପାନୀ ସହିତ ସରକାରଙ୍କର ଲାଗି ରହିଥିବା ବର୍ଷ ପୁରୁଣା ମାମଲା ମଧ୍ୟ ସମାପିତ ହେବାର ରାସ୍ତା ପ୍ରଶସ୍ତ ହୋଇଛି । ଆୟକର ନିୟମ ୧୯୬୧ ସଂଶୋଧନ କରାଯାଇଥିବା ବେଳେ ଏହି ଅନ୍ତର୍ଗତ ଅତୀତରେ କରାଯାଇଥିବା କୌଣସି ଚୁକ୍ତିନାମା ପାଇଁ ଆୟକର ଆଦାୟ କରାଯିବ ନାହିଁ । ଅତୀତରେ କରାଯାଇଥିବା କୌଣସି ଚୁକ୍ତି ଉପରେ ମଧ୍ୟ ଆୟକର ଲାଗୁ କରାଯିବୁ ନାହିଁ । ୨୮ ମେ ୨୦୧୨ ପୂର୍ବରୁ କରାଯାଇଥିବା ବିଭିନ୍ନ ଚୁକ୍ତି ଉପରେ ଏହି ରିହାତି ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ପରେ ଭୋଡାଫୋନ-କେର୍ଣ୍ଣସକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ଏହି ଘୋଷଣା ସହିତ ସୀତାରମଣ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଭୁଲ ଉପାୟରେ ଆଦାୟ କରାଯାଇଥିବା ଆୟକର ମଧ୍ୟ ଫେରସ୍ତ କରାଯିବ । ତେବେ ଏନେଇ ମଧ୍ୟ ସରକାର ଏକ ନିୟମ ରଖିଛନ୍ତି । ଯଦି ଅଭିଯୋଗ କାରୀ କମ୍ପାନୀ ନିଜର ଅଭିଯୋଗ ଫେରସ୍ତ ନେବା ନେଇ ଅଣ୍ଡରଟେକିଂ ଦେଉଛନ୍ତି ତେବେ ଯାଇ ଏହି ଅର୍ଥ ଫେରସ୍ତ ଦିଆଯିବ । ଭବିଷ୍ୟତରେ କମ୍ପାନୀ ସରକାରଙ୍କ ବିରୋଧରେ ସମାନ ଘଟଣାରେ କୌଣସି ମାମଲା ରୁଜୁ କରିପାରିବ ନାହିଁ । ଏପରି ହେଲେ ଆଦାୟ ହୋଇଥିବା ଜରିମାନା ଫେରସ୍ତ କରାଯିବ ମାତ୍ର ସୁଧ ଦିଆଯିବ ନାହିଁ । ଦେଶରେ କରୋନା କାରଣରୁ ଅର୍ଥ ବ୍ୟବସ୍ଥା ଦୁଃସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ବୋଲି ସୀତାରମଣ କହିଛନ୍ତି ।

ଏହି ନିୟମ ଦ୍ୱାରା ସବୁଠାରୁ ଅଧିକ ଲାଭବାନ ହେବେ ଭୋଡାଫୋନ ଓ କେର୍ଣ୍ଣ । ଭାରତ ସରକାରଙ୍କ ଠାରୁ ଏହି ଦୁଇ କମ୍ପାନୀ ପ୍ରାୟ ୧.୨ ବିଲିୟନ ଡଲାର(୮ ହଜାର କୋଟି) କ୍ଷତିପୂରଣ ହାସଲ କରିବ । ତେବେ ଦୁଇ କମ୍ପାନୀ ପକ୍ଷରୁ ମାମଲା ସମାପ୍ତ କରିବା ନେଇ କିଛି ଆବେଦନ ଆସିନଥିବା ସରକାର କହିଛନ୍ତି । ଏହି ଘଟଣା ଉପରେ ନଜର ରଖାଯାଇଛି ଏବଂ ପରବର୍ତ୍ତୀ ପରସ୍ଥିତିରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି କେର୍ଣ୍ଣ ପକ୍ଷରୁ ମତ ପ୍ରକାଶ ପାଇଛି । ଏହି ଆଇନ ଉଚ୍ଛେଦ ଦ୍ୱାରା ପ୍ରାୟ ୧୭ଟି କମ୍ପାନୀ ଲାଭବାନ ହେବେ ବୋଲି କୁହାଯାଇଛି । ଅର୍ଥ ସଚିବ ଟି ଭି ସୋମନାଥନ କହିଛନ୍ତି ଏହି ନିୟମରେ ସମୁଦାୟ ୮୧୦୦ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ କେବଳ କେର୍ଣ୍ଣ ଏନର୍ଜି ୭୯୦୦ କୋଟି ଟଙ୍କା ପ୍ରଦାନ କରିଛି । ଏହି ଅର୍ଥ ଫେରସ୍ତ କରାଯିବ । ୨୦୧୪ ପରଠାରୁ ସରକାର ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ବୃହତ୍ତର ପଦକ୍ଷେପ ବୋଲି ଅର୍ଥ ସଚିବ ତରୁଣ ବଜାଜ ମତ ଦେଇଛନ୍ତି ।

କମ୍ପାନୀ ଗୁଡିକୁ ନେଇ ରହିଥିବା ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟିବ ବୋଲି ଏକେଏମ୍ ଗ୍ଲୋବାଲ ଟ୍ୟାକ୍ସ ପାର୍ଟନର ମହେଶ୍ୱରୀ କହିଛନ୍ତି । ଭୋଡାଫୋନ-କେର୍ଣ୍ଣ ପରି ମାମଲାର ସମାଧାନ ପାଇଁ ଏହି ଆଇନ ସବୁଠାରୁ ଜରୁରୀ ଏବଂ ଏହାଦ୍ୱାରା ଅନେକ ମାମଲା ସୁରୁଖୁରୁରେ ସମାପ୍ତ ହେବ ବୋଲି ଜେ ସାଗର ଆସୋସିଏଟସ ପାର୍ଟନର କୁମାର ମଙ୍ଗଳମ ବିଜୟ କହିଛନ୍ତି । ଟ୍ୟାକ୍ସ ଟୁ ୱିନର ଅଭିଷେକ ସୋନୀ ମଧ୍ୟ ଏହି ବିଲକୁ ପ୍ରଶଂସା କରିଛନ୍ତି । ସମଗ୍ର ବିଶ୍ୱରେ ଏହା ଭାରତର ଭାବମୂର୍ତ୍ତିକୁ ସୁଦୃଢ କରିବ ବୋଲି ସୋନୀ ମତ ରଖିଛନ୍ତି ।

Get real time updates directly on you device, subscribe now.