ମାଡି ଆସୁଛି ଦାନା; ଅଶାନ୍ତ ହେଲାଣି ସମୁଦ୍ର, 48 ଘଣ୍ଟା ଗୁରୁତ୍ବପୂର୍ଣ୍ଣ କହିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର(ଓଡିଶା ଭାସ୍କର): ମାଡି ଆସୁଛି ଭୀଷଣ ବାତ୍ୟା ଦାନା । ତେବେ ଏହା ଧାମରା-ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ପରେ ସାମାନ୍ୟ ରିକର୍ଭ କରିପାରେ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ଆଜି ଅଧରାତିରୁ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ଦାନା । ତେବେ ବାତ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ କରାଯାଇଛି । ଅଢେଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ତେବେ ବାତ୍ୟା ମୁକାବିଲା ନେଇ ରାଜସ୍ବ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “48 ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଯେଉଁ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ହୋଇନି ଏପରି ଆକଳନ ଆସିବ । ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡା ଅଧିକ ପ୍ରଭାବିତ ହେବ । ତେଣୁ ଏଠାରେ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ହେବ । 19ଟି NDRF, 51ଟି ଓଡ୍ରାଫ ଏବଂ  178 ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ବାତ୍ୟାରେ ପବନ ହୋଇ ଗଛ ପଡିଯାଏ, ତାହେଲେ 10 ମିନିଟରେ ଗଛକାଟି ରାସ୍ତା କ୍ଲିୟର କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଜୁଳି କାଟର ଖବର ଆସିନି, ଯଦି ପବନ ଅଧିକା ହୁଏ ତାହେଲେ ବିଜୁଳି କାଟ୍ ହୋଇପାରେ । “

ତେବେ ବାତ୍ୟା ଦାନା ପାଇଁ ଆଜି ମଧ୍ୟ 17ଟି ଟ୍ରେନକୁ ବାତିଲ କରାଯାଇଛି । 27 ତାରିଖ ପର୍ଯ୍ୟନ୍ତ ମୋଟ 203ଟି ଟ୍ରେନକୁ ବାତିଲ କରାଯାଇଥିବା ନେଇ ଇଷ୍ଟକୋଷ୍ଟ ଏବଂ ସାଉଥ ଇଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ବର୍ଷା କଥା ଦେଖିବା ତାହେଲେ ଖବର ଲେଖାଯିବା ପର୍ଯ୍ୟନ୍ତ ପାରାଦ୍ବୀପରେ 62.9 ମିମି, ନୀଳଗିରିରେ 23 ମିମି, ଚାନ୍ଦବାଲିରେ 46.2ମିମି, ପଟ୍ଟାମୁଣ୍ଡାଇରେ 22.5ମିମି, ରାଜକନିକାରେ 27 ମିମି, ସୋରରେ 19 ମିମି ବର୍ଷା ହୋଇଛି ।