ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଆରମ୍ଭ ହେବାକୁ ଗୋଟିଏ ସପ୍ତାହରୁ କମ୍ ସମୟ ବାକି ରହିଛି । ଜୁନ ୧୮ରୁ ଆରମ୍ଭ ହେବାକୁ ଥିବା ଏହି ହାଇଭୋଲଟେଜ୍ ମୁକାବିଲା ପାଇଁ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀ ଚାତକ ପରି ଚାହିଁ ରହିଛନ୍ତି । ବିଶ୍ୱ ଟେଷ୍ଟ ଚମ୍ପିଆନସିପର ପ୍ରଥମ ଟାଇଟଲ୍ ହାସଲ ପାଇଁ ଦୁଇ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଗୋଟିଏ ପଟେ ନ୍ୟୁଜିଲାଣ୍ଡ ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳୁଥିବା ବେଳେ ଅନ୍ୟପଟେ ଭାରତୀୟ ଦଳ ଇଂଟ୍ରା ସ୍କ୍ୱାଡ୍ ମ୍ୟାଚ୍ ଖେଳି ଅଭ୍ୟାସ୍ ଆରମ୍ଭ କରିଛି ।
ଭାରତୀୟ ଦଳ କ୍ୱାରେଟାଂଇନରୁ ମୁକୁଳିବା ପରେ ଶୁକ୍ରବାର ପ୍ରଥମ ଥର ସାଉଥମ୍ପଟନ ପଡିଆରେ ଅଭ୍ୟାସ୍ ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ଋଷଭ ପନ୍ତ ଦମଦାର ଫର୍ମରେ ନଜର ଆସିଛନ୍ତି । ଏହାର ଭିଡିଓ ବିସିସିଆଇ ସେୟାର କରିଛି । ବିସିସିଆଇ ପୋଷ୍ଟ କରିଥିବା ଭିଡିଓରେ ଅଧିନାୟକ ବିରାଟ କୋହଲି, ଶୁବମାନ ଗିଲ୍, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଇଶାନ୍ତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ପନ୍ତ ଏକ ସିଧା ଛକା ମାରୁଥିବା ନଜର ଆସିଛନ୍ତି । ଏହା ପରେ ସେ ବ୍ୟାଟ୍ ଉଠାଇ ଉତ୍ସବ ପାଳିଛନ୍ତି ।
A good Day 1 at office for #TeamIndia at the intra-squad match simulation ahead of #WTC21 Final ? pic.twitter.com/TFb06126fr
— BCCI (@BCCI) June 12, 2021
ପନ୍ତ ଆଇପିଏଲ ୨୦୨୦ ସରିବା ପରେ ଭାରତୀୟ ଦଳରେ ନିଜ ସ୍ଥାନ ସୁନିଶ୍ଚିତ କରି ସାରିଛନ୍ତି । ସେ ଏବେ ଦଳର ମ୍ୟାଚ୍ ବିଜେତା ଖେଳାଳି । ସେ ଅଷ୍ଟ୍ରେଲିଆ ଗସ୍ତରେ ଗତ ଦୁଇଟି ଟେଷ୍ଟ ସିରିଜ୍ ବିଜୟର ପ୍ରମୁଖ ସୂତ୍ରଧାର । ପନ୍ତ ଉକ୍ତ ଦୁଇ ଗସ୍ତରେ ଦମଦାର ପ୍ରଦର୍ଶନ କରିଥିଲେ । ଏହି କାରଣରୁ ଭାରତୀୟ ଦଳ ଅନେକ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ମଧ୍ୟ କଙ୍ଗାରୁକୁ ତାରି ଘରେ ହରାଇ ଐତିହାସିକ ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଥିଲା । ପନ୍ତ କେବଳ ଅଷ୍ଟ୍ରେଲିଆ ନୁହେଁ ବରଂ ଇଂଲଣ୍ଡ ବିପକ୍ଷରେ ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ତେଣୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲାରେ ତାଙ୍କ ପ୍ରଦର୍ଶନ ଉପରେ ତାଙ୍କ ନଜର ରହିଛି । କିନ୍ତୁ ପନ୍ତ ଇଂଲଣ୍ଡ ମାଟିରେ ମୋଟ୍ ୩ଟି ଟେଷ୍ଟ ଖେଳି ଛଅଟି ଇନିଂସରୁ ୨୭ ହାରରେ ୧୬୨ ରନ କରିଛନ୍ତି ।