fbpx

IPL-2024ରୁ କମବ୍ୟାକ କରିବେ ଋଷଭ ପନ୍ତ… ୱିକେଟ କିପର ନହେଲେ ନେବେ ନୂଆ ଅବତାର

Advertisement

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତରେ ଆସିଛି ଏକ ବଡ଼ ଖୁସି ଖବର । ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ପୁଣିଥରେ ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି । ଆସନ୍ତା ଆଇପିଏଲ-୨୦୨୪ରେ ସେ ପୁଣିଥରେ କ୍ରିକେଟ ମଇଦାନରେ ପାଦ ଦେଇପାରନ୍ତି ବୋଲି ଆଶା କରାଯାଉଛି । ଆହତ ସମସ୍ୟାରୁ ସୁସ୍ଥ ହୋଇ ଆଇପିଏଲରୁ ପୁଣିଥରେ କ୍ରିକେଟ ଯାତ୍ରା ଆରମ୍ଭ କରିପାରନ୍ତି ଋଷଭ । ଏ ନେଇ ପନ୍ତଙ୍କ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କ୍ରିକେଟ ଗ୍ରାଉଣ୍ଡରେ ଋଷଭଙ୍କୁ ଗୋଟିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଗତବର୍ଷ ଡିସେମ୍ବର ୩୦ ତାରିଖରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ । ମୁଣ୍ଡ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିବାରୁ ତାଙ୍କ ମେଜର୍ ଅପରେସନ ମଧ୍ୟ ହୋଇଥିଲା । ଏହାପରେ ନେସନାଲ କ୍ରିକେଟ ଏକାଡେମୀରେ ଖୁବ ପରିଶ୍ରମ କରି ବର୍ତ୍ତମାନ ସୁସ୍ଥ ହୋଇ ମଇଦାନକୁ ଫେରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ତେବେ ରିପୋର୍ଟ ଅନୁସାରେ ଋଷଭ ଫେବୃଆରୀ ଶେଷ ସୁଦ୍ଧା କ୍ରିକେଟ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ମ୍ୟାନେଜମେଣ୍ଟ । ଏହାସହିତ ପୁଣିଥରେ ତାଙ୍କ ପ୍ରତ୍ୟାବର୍ତ୍ତନରେ ପୁଣିଥରେ ତାଙ୍କୁ ନେତୃତ୍ୱ ପ୍ରଦାନ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଦିଲ୍ଲୀର ମ୍ୟାନେଜମେଣ୍ଟ କହିଛନ୍ତି ଯେ, ଋଷଭ ଫେବୃଆରୀ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଇପିଏଲ-୨୦୨୪ ଜରିଆରେ କ୍ରିକେଟ ମଇଦାନକୁ କମବ୍ୟାକ କରିବେ । ତେବେ ଏଥିପାଇଁ ଏନସିଏ ମ୍ୟାନେଜରଙ୍କ ମଞ୍ଜୁରୀ ଏବଂ ବିସିସିଆଇର ଅନୁମତି ଆବଶ୍ୟକ ରହିଛି । କିନ୍ତୁ ମ୍ୟାଚରେ ସେ ୱିକେଟ କିପିଙ୍ଗ କରିପାରିବେ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ଯଦି ୱିକେଟ କିପିଙ୍ଗ ପାଇଁ ତାଙ୍କୁ ଅନୁମତି ନ ମିଳେ, ସେ ନିଜ ବ୍ୟାଟିଂ ଏବଂ ଫିଲ୍ଡିଂ ସହ ଦଳର ନେତୃତ୍ୱ ନେବା ଉପରେ ଗୁରୁତ୍ୱ ଦେବେ । କିନ୍ତୁ ଇମ୍ପାକ୍ଟ ପ୍ଲେୟାର ଭାବରେ ଋଷଭଙ୍କୁ ଖେଳାଇବ ନାହିଁ ଦିଲ୍ଲୀ କ୍ୟାପିଟାଲ୍ସ ।

Get real time updates directly on you device, subscribe now.