ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପୂର୍ବରୁ ପତ୍ୟେକ ଦଳ ନିଜର ରିଟେନସନ ତାଲିକା ଜାରି କରିଛନ୍ତି । ତେବେ ଏହି ତାଲିକାରେ ସବୁଠୁ ଆଶ୍ଚର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳର ଅଧିନାୟକ ଋଷଭ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରିଛି ଦିଲ୍ଲୀ । ଆସନ୍ତା ସଜିନ ପାଇଁ ଦଳ କେବଳ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିଛି । ଅକ୍ସର ପଟେଲ, କୁଳଦୀପ ଯାଦବ, ଟ୍ରିଷ୍ଟନ ଷ୍ଟବ୍ସ ଏବଂ ଅଭିଷେକ ପୋରେଲଙ୍କୁ ଦଳ ରିଟେନ୍ କରିଥିବା ବେଳେ ଋଷଭ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି । ତେଣୁ ଆଗାମୀ ମେଗା ଅକ୍ସନରେ ନିଲାମ ପାଇଁ ସାମିଲ ହେବେ ଋଷଭ ପନ୍ତ । ତେବେ ଏହାଭିତରେ ପନ୍ତଙ୍କୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଇପିଏଲ-୨୦୨୫ରେ ଋଷଭ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
ଦିଲ୍ଲୀ କ୍ୟାପିଟାଲ୍ସର ରିଟେନସନ ତାଲିକାରୁ ବାଦ୍ ପଡ଼ିବା ପରେ ଋଷଭଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହେଉଛି । ଆଇପିଏଲ-୨୦୨୫ରେ ଋଷଭ କେଉଁ ଦଳରେ ସାମିଲ ହେବେ, ତାହା ଏବେ ଏକ ବିରାଟ ପ୍ରସଙ୍ଗ ପାଲଟିଛି । ଏହାଭିତରେ ଚେନ୍ନାଇର ପୂର୍ବତନ ଉପ-ଅଧିନାୟକ ସୁରେଶ ରାଇନା ଏକ ବଡ଼ ସଂକେତ ଦେଇଛନ୍ତି । ଆସନ୍ତା ସିଜନ ପାଇଁ ଋଷଭ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି ବୋଲି ସଂକେତ ଦେଇଛନ୍ତି ରାଇନା । ସୁରେଶ ରାଇନା କହିଛନ୍ତି ଯେ, କିଛି ଦିନ ତଳେ ଋଷଭ ଧୋନୀଙ୍କ ସହ ଦେଖା କରିଥିଲେ । ଏହି ମିଟିଙ୍ଗରେ ଧୋନୀ ଏବଂ ପନ୍ତ ଆଗାମୀ ସିଜନକୁ ନେଇ ଆଲୋଚନା କରିଥାଇ ପାରନ୍ତି । ତେଣୁ ଖୁବଶୀଘ୍ର ପନ୍ତ ଧୋନୀଙ୍କ ଦଳରେ ୟେଲୋ ଜର୍ସିରେ ଦେଖିବାକୁ ମିଳିପାରନ୍ତି ।
ଅକ୍ଟୋବର ୩୧ ତାରିଖରେ ଆଇପିଏଲ-୨୦୨୫ ପାଇଁ ଋଷଭଙ୍କ ବିନା ରିଟେନସନ ଲିଷ୍ଟ ଜାରି କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଆଇପିଏଲରେ ଦିଲ୍ଲୀ ପକ୍ଷରୁ ଋଷଭ ୧୧୧ଟି ମ୍ୟାଚ ଖେଳି ୩୫.୩୧ ହାରରେ ୩୨୮ ରନ୍ ସଂଗ୍ରହ କରିଛନ୍ତି । ୱିକେଟ କିପିଙ୍ଗ ସହ ଦମଦାର ବ୍ୟାଟିଂ କରି ସେ ଦଳକୁ ୨ ଥର ଫାଇନାଲରେ ପ୍ରବେଶ କରାଇଛନ୍ତି । ତେବେ ଋଷଭଙ୍କ ନେତୃତ୍ୱରେ ଦଳ ଚମ୍ପିଆନ୍ ହେବାରେ ଫେଲ ହୋଇଛି । ଆଗାମୀ ସିଜନ ପାଇଁ ନୂଆ ଅଧିନାୟକ ଖୋଜୁଛି ଦିଲ୍ଲୀ କ୍ୟାପିଟାଲ୍ସ ।