ଆସନ୍ତା କାଲିଠାରୁ ମହାପ୍ରଭୁଙ୍କ ଦର୍ଶନ ସହ ନୀତିରେ ହେବ ପରିବର୍ତ୍ତନ, କେମିତି କଣ ରହିଛି ବ୍ୟବସ୍ଥା ଆସନ୍ତୁ ଜାଣିବା

ପୁରୀ: ୧୭ ତାରିଖରୁ ମହାପ୍ରଭୁଙ୍କ ଦର୍ଶନରେ ହେବ ପରିବର୍ତ୍ତନ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ହେଲେ ବାହାରକାଠରୁ ହିଁ କରିବାକୁ ହେବ । ଆଉ ଭିତର କାଠ ଯାଏଁ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । କାରଣ ଆସନ୍ତା କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ଼୍ୟ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗର ଉଚ୍ଚସ୍ତରୀୟ ବିଶେଷଜ୍ଞଙ୍କ ଦ୍ବାରା ଏହି ମରାମତି କାର୍ୟ୍ୟ ହେବ । ଏହି ସମୟରେ ବାହାରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ।

ଗତ ବୁଧବାର ଦିନ ଶ୍ରୀମନ୍ଦିର କାର୍ଯ଼୍ୟାଳୟରେ ଏ ସମ୍ପର୍କିତ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପାଢୀ କହିଥିଲେ କି, ନିଷ୍ପତ୍ତି ଅନୁଯାଇ ଆସନ୍ତା ୧୭ତାରିଖରୁ ‘ଏଏସଆଇ’ ରତ୍ନଭଣ୍ଡାର ମରାମତି କାମଆରମ୍ଭ କରିବ । ମହାପ୍ରଭୁଙ୍କ ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ପ୍ରାୟ ଦିନ ଗୋଟାଏ ବେଳକୁ ଏହା ଶେଷ ହେବା ଆଶା କରାଯାଉଛି। ଏଣୁ ଅପରାହ୍ନ ୧ଟାରୁ ସନ୍ଧ୍ୟା ୫ ଟାରୁ ୬ ଟା ପର୍ୟ୍ୟନ୍ତ ‘ଏଏସଆଇ’ ମରାମତି କାମ କରିବ । ଶନିବାର, ରବିବାର, ୩୧ ଡିସେମ୍ବର, ନୂଆବର୍ଷ ତଥା ଯେଉଁ ଦିନ ଅଧିକ ଭକ୍ତଙ୍କ ଭିଡ ହୋଇଥିବ ସେହି ଦିନ ମରାମତି କାମ ନ କରିବାକୁ ନିଷ୍ପତ୍ତି ହୋଇଛି ।

ତିନି ମାସରେ ରତ୍ନଭଣ୍ଡାର ମରାମତି କାମୟ ସାରିବା ପାଇଁ ‘ମନ୍ଦିର ପ୍ରଶାସନକୁ ଜଣାଇଛି। ରତ୍ନଭଣ୍ଡାରର ମରାମତି ସରିବା ପରେ ଭଣ୍ଡାର ଭିତରେ ହିଁ ରତ୍ନ ଅଳଙ୍କାର ଗଣତି କରାଯିବ । ଏହି ବୈଠକରେ ମଧ୍ୟ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ ଅନୁମୋଦନ ହୋଇଛି । ୩ ମାସ ସମୟ ମାଗିଛି ଏଏସଆଇ ଅଧିକ୍ଷକ ଡି.ବି ଗଡ଼ନାୟକ ପ୍ରତିକ୍ରିୟାରେ କହିଛନ୍ତି ମହାପ୍ରଭୁଙ୍କ ନୀତିକାନ୍ତିକୁ ଦେଖି ରତ୍ନଭଣ୍ଡାରର ମରାମତି କରିବୁ । କାମ ଯେଭଳି ଭଲ ଭାବେ ହେବା ସହ ଶୀଘ୍ର ଶେଷ ହେବ ସେନେଇ ଯତ୍ନବାନ ରହିବ ।

ଏଠାରେ କହି ରଖୁଛୁ କି, ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର । ଚଳିତବର୍ଷ ଜୁଲାଇ ୧୪ ଏବଂ ୧୮ ତାରିଖରେ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯାଇଥିଲା ରତ୍ନଭଣ୍ଡାରର କାନ୍ଥରେ ଫାଟ ଥିବା ଓ ଚଟାଣରେ ମୂଷା ଗାତ ରହିଥିବା ଜଣାପଡିଥିଲା । ‘ଜିପିଆରଏସ’ ସର୍ଭେ ରିପୋର୍ଟ ସହାୟତାରେ ଏଏସଆଇ ମରାମତି କରିବ । କିଛି ପଥର ଓ ଲୁହା ବିମ୍ ରହିଛି ତାହାକୁ ଅପସାରଣ କରାଯାଇ ନୂଆ ବିମ୍‌ ଲଗାଯାଇ ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରାଯିବ ।

ଏବେ ରତ୍ନ ଅଳଙ୍କାରଗୁଡ଼ିକୁ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଜ ଓ ଚାଙ୍ଗଡ଼ା ଗୃହରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରଖାଯାଇଛି । ମରାମତି କାମ ସରିବା ପରେ ରତ୍ନ ଅଳଙ୍କାରକୁ ପୂର୍ବ ପରି ରତ୍ନଭଣ୍ଡାରକୁ ନିଆଯାଇ ସେଠାରେ ମଣତି, ଗଣତି କରାଯିବ ।