fbpx

Big Breaking ଶ୍ରୀଲଙ୍କା ଉପରେ ବିଶାଳ ବିଜୟ ହାସଲ କଲା ରୋହିତ ସେନା: Semi-Finalରେ ଦମଦାର ଏଣ୍ଟ୍ରି

ମୁମ୍ବାଇ: ଦିନିକିଆ ବିଶ୍ୱକପରେ ଭାରତର ବୋଲିଂ ୟୁନିଟ୍ ନିଜ ଜଲୱା ଜାରି ରଖିଛି । ଦମଦାର ବୋଲିଂ ଆଟାକ ସହ ଚଳିତ ବିଶ୍ୱକପରେ ଲଗାତାର ସପ୍ତମ ବିଜୟ ନିଜ ନାମରେ କରିଛି ଟିମ ଇଣ୍ଡିଆ । ଆଜିର ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ରୋହିତ ସେନା । ପୁଣିଥରେ ଏସିଆ କପ୍ ଫାଇନାଲ ଭଳି ପରିସ୍ଥିତିର ସାମ୍ନା କରିଛି ଶ୍ରୀଲଙ୍କା । ୩୫୮ ରନ୍ ର ପିଛା କରି ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇ ପାଭିଲିୟନ ଫେରିଛି । ଫଳରେ ମ୍ୟାଚକୁ ୩୦୨ ରନରେ ବିଜୟ ପ୍ରାପ୍ତ କରି ଭାରତ ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଏହା ସହିତ ବିଶ୍ୱକପରେ ସେମି ଫାଇନାଲକୁ ପ୍ରବେଶ କରିଛି ରୋହିତ ସେନା ।

ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ନିଜ ଦବଦବା ବଜାୟ ରଖିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୩୫୮ ରନର ବିଶାଳ ଲକ୍ଷ୍ୟ ଦେଇଥିବା ବେଳେ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଟକିଯାଇଛି । ବିରାଟ ଲଢେଇରେ ଶ୍ରୀଲଙ୍କାର ମାତ୍ର ୩ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁଥିବା ବେଳେ ୫ ଜଣ ଖେଳାଳି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଛନ୍ତି । ତେବେ ମହମ୍ମଦ ଶାମୀଙ୍କ ସହ ଅନ୍ୟ ବୋଲରଙ୍କ ପ୍ରଦର୍ଶନ ଭାରତକୁ ଏକ ବିଶାଳ ବିଜୟର ଅଧିକାରୀ କରିଛି । ଇନିଂସର ପ୍ରଥମ ବଲରୁ ହିଁ ଭାରତୀୟ ବୋଲର ଶ୍ରୀଲଙ୍କା ଉପରେ ଦବଦବା ଆରମ୍ଭ କରିଦେଇଥିଲେ । ତେବେ ବୁମରାହ ଓ ସିରାଜଙ୍କ ପରେ ମହମ୍ମଦ ଶାମୀ ଶ୍ରୀଲଙ୍କାର ମଧ୍ୟକ୍ରମକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛନ୍ତି । ଦଳର ଦଶମ ଓଭର ନେଇ ଆସିଥିବା ଶାମୀ ଜଣକ ପରେ ଜଣେ ଶ୍ରୀଲଙ୍କା ବ୍ୟାଟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ମ୍ୟାଚରେ ସର୍ବାଧିକ ୫ଟି ୱିକେଟ ନିଜ ନାମରେ କରିଛନ୍ତି ଶାମୀ । ଏହି ସ୍ପେଲ ସହ ଶାମୀ ଅନେକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ବିଶ୍ୱକପରେ ଭାରତୀୟ ବୋଲର ଭାବରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି ଶାମୀ । ଏହି ତାଲିକାରେ ସେ ପୂର୍ବତନ ବୋଲର ଜାହିର ଖାନ(୪୪)ଙ୍କୁ ପଛରେ ପକାଇଛନ୍ତି । ଏହାବ୍ୟତୀତ ଦିନିକିଆ ମ୍ୟାଚରେ ୫ଟି ୱିକେଟ ହାସଲ କରିବାରେ ମଧ୍ୟ ପୂର୍ବତନ ସ୍ପିନର ହରଭଜନଙ୍କୁ ପଛରେ ପକାଇଛନ୍ତି ଶାମୀ ।

ଦ୍ୱିତୀୟ ଇନିଂସର ପ୍ରଥମ ବଲରେ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ପଥୁମ ନିଶଙ୍କାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହାପରେ ଦ୍ୱିତୀୟ ଓଭରର ପ୍ରଥମ ବଲରେ ଦିମୁଥ କରୁଣାରତ୍ନେ ମଧ୍ୟ ମହମ୍ମଦ ସିରାଜଙ୍କ ଶିକାର ପାଲଟିଥିଲେ । ଏହି ଓଭରରେ ସିରାଜ ଅଧିନାୟକ କୁସଲ ମେଣ୍ଡିସ ମଧ୍ୟ ନିଜ ୱିକେଟ ହରାଇଥିଲେ । ଭାରତୀୟ ବୋଲରଙ୍କ ବିସ୍ଫୋରକ ବୋଲିଂ ଆଟାକ ଫଳରେ ଲଗାତାର ୱିକେଟ ହରାଇଛି ଶ୍ରୀଲଙ୍କା । ଯାହା ଫଳରେ ଇନିଂସର ପ୍ରଥମ ପାୱାରପ୍ଲେ (୧୦ ଓଭର) ସୁଦ୍ଧା ଶ୍ରୀଲଙ୍କା ମାତ୍ର ୧୪ ରନରେ ୬ ୱିକେଟ ହରାଇ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛି । ଏହି ବିଜୟରେ ଶାମୀ ୫ଟି ୱିକେଟ ନିଜ ନାମରେ କରିଥିବା ବେଳେ ସିରାଜ ୩ଟି ଶିକାର କରିଛନ୍ତି । ଏହାବ୍ୟତୀତ ବୁମରାହ ଏବଂ ଜାଡେଜା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.