ଟିମ୍ ଇଣ୍ଡିଆ ଏମିତି ଖେଳୁଛି! ଘରୋଇ ମାଟିରେ ଦ୍ୱିତୀୟ ସର୍ବାଧିକ ଟେଷ୍ଟ ପରାଜୟ ରେକର୍ଡର ଅଧିକାରୀ ହେଲେ ଭାରତୀୟ ଅଧିନାୟକ
ନୂଆଦିଲ୍ଲୀ: ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଅତ୍ୟନ୍ତ ଲଜ୍ଜାଜନକ ଭାବେ ୩-୦ରେ ଟେଷ୍ଟ ସିରିଜରେ ପରାସ୍ତ ହୋଇଛି । ଏହାଫଳରେ ଦୀର୍ଘ ୨୪ ବର୍ଷ ପରେ ଭାରତ ଘରୋଇ ଟେଷ୍ଟ ସିରିଜରେ କ୍ଲିନ୍ ସ୍ୱିପ୍ ହୋଇଛି । ଦ୍ୱିତୀୟ ପାଳିରେ ଦିଆଯାଇଥିବା ୧୪୭ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତୀୟ ଟିମ୍ ମାତ୍ର ୧୨୧ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ନ୍ୟୁଜିଲାଣ୍ଡ ୨୫ ରନରେ ବିଜୟୀ ହୋଇ ଇତିହାସ ରଚିଥିଲା । ତେବେ ଟେଷ୍ଟ ସିରିଜରେ ଭାରତର ଦୁଇ ବରିଷ୍ଠ ଖେଳାଳି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଛି ।
ସାଧାରଣ ଭାବେ କୌଣସି ଦଳ ବା ଖେଳାଳି ଜିତିବା ପରେ ରେକର୍ଡ କରିଥାନ୍ତି । ମାତ୍ର ଭାରତୀୟ ଅଧିନାୟକ ରୋହିତ ଶର୍ମା ହାରିବାରେ ଏକ ବଡ଼ ରେକର୍ଡ କରିଛନ୍ତି । ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ମ୍ୟାଚରେ ପରାଜୟ ବରଣ କରିବାର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଅଧିନାୟକ । ଏହି କ୍ରମରେ ରୋହିତ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଓ କପିଲ ଦେବଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ରୋହିତ ବର୍ତ୍ତମାନ ୧୬ଟି ଘରୋଇ ମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ ୫ଟିରେ ପରାସ୍ତ ହୋଇଛନ୍ତି । ଆଝାରୁଦ୍ଦିନ ଓ କପିଲ ୪-୪ ଲେଖାଏଁ ହାରିଥିଲେ । ଏହି ଲିଷ୍ଟରେ ସର୍ବାଗ୍ରେ ରହିଛନ୍ତି ଟାଇଗର ପଟୌଦୀ, ଯେକି ୨୭ଟି ମ୍ୟାଚରୁ ୯ଟିରେ ହାରିଥିଲେ ।