ଓଡ଼ିଶା ଭାସ୍କର: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆତ୍ମସମର୍ପଣ କରିଛିି ଟିମ୍ ଇଣ୍ଡିଆ । ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଆଜି ଦ୍ୱିତୀୟ ମ୍ୟାଚରେ ଏକ ବୃହତ ପରାଜୟର ସମ୍ମୁଖୀନ ହୋଇଛି ରୋହିତ ସେନା । ଏହି ପରାଜୟ ପରେ ଭାରତୀୟ ଦଳକୁ ସବୁଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ସବୁଠାରୁ ବଡ କଥା ହେଉଛି ଦଳର ଅଧିନାୟକ ତଥା ରୋହିତ ଶର୍ମାଙ୍କ ବ୍ୟାଟ କିଛି ମ୍ୟାଚରେ ଶାନ୍ତ ପଡିଯାଇଛି । ତେଣୁ ରୋହିତଙ୍କୁ ଦଳର ନେତୃତ୍ୱ ପଦରୁ ବାଦ୍ ଦେବା ପାଇଁ ଦାବି ଜୋର ଧରିଛି । ଲଗାତାର ବ୍ୟାଟିଂରେ ଫ୍ଲପ ହେବା ପରେ ତାଙ୍କ କାନ୍ଧରୁ ଏହି ଦାୟିତ୍ୱ ହଟାଇବାକୁ ସବୁଠି ଚର୍ଚ୍ଚା ହେଉଛି । କିନ୍ତୁ ରୋହିତଙ୍କ ପରେ ଟେଷ୍ଟ ଦଳରେ କିଏ ନେବ ନେତୃତ୍ୱ?
ପର୍ଥ ଟେଷ୍ଟକୁ ଟିମ୍ ଇଣ୍ଡିଆ ୨୯୫ ରନରେ ଜିତିବା ପରେ ରୋହିତ ସେନା ୫-୦ରେ ସିରିଜ ଜିତିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ପିଙ୍କ ବଲ୍ ଟେଷ୍ଟରେ ଭାରତକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ଖରାପ ପ୍ରଦର୍ଶନ ଯୋଗୁଁ ଏମିତି ହୋଇଥିବା ଆଲୋଚନା ହେଉଛି । ତେବେ ଏହାରି ଭିତରେ କିଛି ଖେଳାଳିଙ୍କ ପ୍ରଦର୍ଶନ ଟିମ୍ ଇଣ୍ଡିଆକୁ ଚିନ୍ତାରେ ପକାଇଛି । ଏହି ତାଲିକାର ସବୁଠୁ ଆଗରେ ରହିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା ।
ପୁତ୍ର ସନ୍ତାନର ବାପା ହେବା ପରେ ଦ୍ୱିତୀୟ ମ୍ୟାଚରେ ଟିମ୍ ସହ ଯୋଡି ହୋଇଥିଲେ ରୋହିତ । ପିଙ୍କ ବଲ ଟେଷ୍ଟରେ ସେ ଏକ ବଡ ପାଳି ଖେଳିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ଏଥିରେ ବିଫଳ ହୋଇଛନ୍ତି । ଏହାପୂର୍ବରୁ ସହ ପୂର୍ବ ୨ଟି ଟେଷ୍ଟ ସିରିଜରେ ମଧ୍ୟ ତାଙ୍କ ବ୍ୟାଟ ଶାନ୍ତ ରହିଛି । ନିକଟରେ ଶେଷ ହୋଇଥିବା ୬ଟି ଟେଷ୍ଟରେ ସେ ମାତ୍ର ୧୪୨ ରନ କରିଛନ୍ତି । ଆଉ ତାଙ୍କ ଆଭରେଜ ରହିଛି କେବଳ ୨୩.୬୬ । ତେବେ ଶେଷ ୧୨ଟି ଇନିଂସ ଉପରେ ଆସନ୍ତୁ ନଜର ପକାଇବା । ବାଂଲାଦେଶ ବିପକ୍ଷ ୨ଟି ମ୍ୟାଚରେ ଯଥାକ୍ରମେ ୬, ୫, ୨୩, ୮ ରନ କରିଥିଲେ । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ (୨, ୫), (୦, ୮) ଏବଂ (୧୮, ୧୧) ରନ କରିବାକୁ ସକ୍ଷମ ହୋଇଥିଲେ କ୍ୟାପଟେନ ରୋହିତ । ଆଉ ଏବେ ଚାଲିଥିବା ବିଜିଟିର ୨ୟ ମ୍ୟାଚରେ ସେ କେବଳ ୩ ଓ ୬ ରନ ହିଁ କରିପାରିଛନ୍ତି ।
ତେବେ ରୋହିତଙ୍କ ଏଭଳି ପ୍ରଦର୍ଶନ ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି । କୁହାଯାଉଛି ଯଦି ଏହି ସିରିଜରେ ବଳକା ଥିବା ମ୍ୟାଚରେ ସେ ଭଲ ପ୍ରଦର୍ଶନ ନକରନ୍ତି, ତେବେ ହୁଏତ ତାଙ୍କୁ ଆଗାମୀ ଟେଷ୍ଟ ସିରିଜ ପାଇଁ ଦଳରୁ ବାଦ୍ ଦିଆଯାଇପାରେ । ଏହାବ୍ୟତୀତ ଟିମ ଇଣ୍ଡିଆର ଅଧିନାୟକ ପଦ ମଧ୍ୟ ହରାଇପାରନ୍ତି ରୋହିତ ଶର୍ମା ।
ତେବେ କିଏ ହେବ ଆଗାମୀ କ୍ୟାପଟେନ୍ ? ଏହି ରେସରେ ଏବେ ଖୁବ ଆଗରେ ରହିଛନ୍ତି ଉପ-ଅଧିନାୟକ ତଥା ଷ୍ଟାର ବୋଲର ଜଶପ୍ରୀତ ବୁମରାହ । ତାଙ୍କ ନେତୃତ୍ୱରେ ଭାରତ ପର୍ଥ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଥିଲା । ତାଙ୍କ ପରେ ୱିକେଟ କିପର ଋଷଭ ପନ୍ତ ଓ କେଏଲ ରାହୁଲ ମଧ୍ୟ ଏହି ତାଲିକାରେ ରହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ମ୍ୟାଚ ଗୁଡିକରେ ରୋହିତଙ୍କ ପ୍ରଦର୍ଶନ କେମିତି ରହୁଛି । ଆଉ ଭାରତ ବର୍ଡର ଗାଭାସ୍କ ଟ୍ରଫି ଉପରେ କବଜା କରିବାକୁ ସମର୍ଥ ହେଉଛି କି ନାହିଁ ।