କଂଗ୍ରେସର ମହିଳା ନେତ୍ରୀଙ୍କୁ ହତ୍ୟା, ବସଷ୍ଟାଣ୍ଡ ନିକଟରେ ସୁଟକେସରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ହରିୟାଣାର ରୋହତକ ଜିଲ୍ଲାର ସାମ୍ପଲା ସହରର ବସ୍ ଷ୍ଟାଣ୍ଡ ନିକଟରେ ଏକ ସୁଟକେସ୍‌ରେ ଜଣେ ଯୁବତୀଙ୍କ ମୃତଦେହ ଜବତ କରାଯାଇଛି । ଏହାପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ସୁଟକେସରେ ଏକ ମୃତଦେହ ଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା ପୋଲିସ । ଏହି ସୂଚନା ଆଧାରରେ, ପୋଲିସ ଏବଂ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଯେତେବେଳେ ପୋଲିସ ସୁଟକେସ୍ ଖୋଲିଲା ସେତେବେଳେ ସୁଟକେସରେ ଏକ ମହିଳାଙ୍କର ମୃତଦେହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ ସନ୍ଦେହ କରୁଛି ଯେ ଝିଅଟିକୁ ଗଳାକାଟି ହତ୍ୟା କରାଯାଇଛି । ଝିଅଟି କଂଗ୍ରେସ ନେତ୍ରୀ ହିମାନୀ ନରୱାଲ ଭାବରେ ଚିହ୍ନଟ ହୋଇଛି। ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ହିମାନୀ ନରୱାଲ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା, କଂଗ୍ରେସ ସାଂସଦ ଦୀପେନ୍ଦର ସିଂହ ହୁଡା ଏବଂ ରୋହତକ ବିଧାୟକ ବିବି ବାତ୍ରାଙ୍କ ସହିତ ହିମାନୀଙ୍କ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା ।

ବିଧାୟକ ବିବି ବାତ୍ରା ହିମାନୀ ନରୱାଲଙ୍କ ହତ୍ୟା ଉପରେ ସନ୍ଦେହ ପ୍ରକାଶ କରିଥିଲେ ଏବଂ ତାଙ୍କ ହତ୍ୟାର ସ୍ୱତନ୍ତ୍ର ତଦନ୍ତ ଦଳ (SIT) ତଦନ୍ତ ଦାବି କରିଥିଲେ । ସେ କହିଥିଲେ ଯେ ହିମାନୀ ନରୱାଲ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଥିଲେ ଯିଏ ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ ।