fbpx

ମଦ ଦୁର୍ନୀତିରେ ଗିରଫ ହୋଇଥିବା କେ.କବିତାଙ୍କୁ ଝଟକା: ଏପ୍ରିଲ ୯ ଯାଏଁ ଜେଲ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ସ୍କାମ୍‌ରେ ଟଙ୍କା ହେରଫେର ମାମଲାରେ ଇଡି ଅଧୀନରେ ଥିବା ବିଆରଏସ୍ ନେତା ତଥା ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ (କେସିଆର) ଙ୍କ ଝିଅ କେ. କବିତାଙ୍କୁ ଲାଗିଛି ବଡ଼ ଝଟକା । ୯ ଏପ୍ରିଲ ପର୍ଯ୍ୟନ୍ତ ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତ ବା ଜେଲ୍ ପଠାଇଛନ୍ତି ।

ଅନ୍ୟପଟେ କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ୧ ଏପ୍ରିଲରେ ଶୁଣାଣି କରିବେ ରାଉସ୍ ଆଭେନ୍ୟୁ କୋର୍ଟ । ଏହା ପୂର୍ବରୁ ଇଡି କବିତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ କୋର୍ଟରେ ଏକ ଆବେଦନ କରିଥିଲା ।

ନ୍ୟାୟିକ ହେପାଜତ ଆବେଦନରେ ଇଡି କହିଛି, “କେ କବିତା ବହୁତ ପ୍ରଭାବଶାଳୀ, ତେଣୁ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି । ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ପ୍ରମାଣ ନଷ୍ଟ କରିପାରିନ୍ତି ଓ ଚାଲିଥିବା ଅନୁସନ୍ଧାନକୁ ପ୍ରଭାବିତ କରିପାରନ୍ତି । ଇଡି ଅଭିଯୁକ୍ତଙ୍କ ଭୂମିକାକୁ ନିରନ୍ତର ଅନୁସନ୍ଧାନ କରୁଛି । ଏହି ମାମଲାରେ ଏବଂ ଅପରାଧ ମାଧ୍ୟମରେ ଅର୍ଜିତ ଆୟକୁ ଅନୁସନ୍ଧାନ କରିବାକୁ ଚେଷ୍ଟା କରୁଛି । ଏହି ଅପରାଧର ଆୟ ସହିତ ଜଡିତ ଥିବା ଲୋକଙ୍କୁ ଖୋଜିବା ପାଇଁ ଚେଷ୍ଟା କରାଯାଉଛି ।’

ସୂଚନା ଥାଉକି, ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ ସେ କ୍ଷମତାସୀନ ଆପର ବରିଷ୍ଠ ନେତାମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଶୁକ୍ରବାର ଇଡି ଓ ଆୟକର ବିଭାଗ କେ କବିତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ରେଡ କରିଥିଲେ। ଏହାପରେ ତାଙ୍କୁ ସନ୍ଧ୍ୟାରେ ଇଡି ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଦିଲ୍ଲୀ ଅଣାଯାଇଛି। ତେବେ ଦିଲ୍ଲୀର ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ କ୍ଷମତାସୀନ ଆପ୍‌କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଦେଇଥିଲା। ଏହି ଗ୍ରୁପର ସଦସ୍ୟ ହେଉଛନ୍ତି କବିତା ବୋଲି ଇଡି ଚାର୍ଜଶିଟରେ ଅଭିଯୋଗ କରିଛି। ଏହି ତଥାକଥିତ ଦୁର୍ନୀତି ଘଟଣାରେ ସିବିଆଇର ଗୋଟିଏ ଟିମ କବିତାଙ୍କ ବୟାନ ୨୦୨୨ ମସିହା ଡିସେମ୍ବର ୧ରେ ରେକର୍ଡ କରିଥିଲା। ଦୀର୍ଘ ୭ ଘଣ୍ଟା କାଳ ତାଙ୍କୁ ଜେରା କରିଥିଲା।

 

Get real time updates directly on you device, subscribe now.