fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିିଲେ ୫୧,୦୦୦ ଜଣଙ୍କୁ ନିଯୁକ୍ତି ପତ୍ର, ଏହି ଅବସରରେ ସମସ୍ତଙ୍କୁ ଦେଶର ଅମୃତରକ୍ଷକ ବୋଲି ସମ୍ବୋଧନ କଲେ ମୋଦୀ

Advertisement

 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳାରେ ଭିଡିଓ କନଫରେନ୍ସ ଜରିଆରେ ନବନିଯୁକ୍ତ କର୍ମୀଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ନବନିଯୁକ୍ତ କର୍ମୀଙ୍କୁ ସମ୍ବୋଧନ ବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସ୍ୱାଧୀନତାର ଏହି ଅମୃତ ମୁହୂର୍ତ୍ତରେ ଦେଶର କୋଟି କୋଟି ଜନତା ଅମୃତରକ୍ଷକ ପାଲଟିଥିବାରୁ ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଆଜି ଯେଉଁମାନଙ୍କୁ ନିଯୁକ୍ତି ପତ୍ର ମିଳୁଛି ସେମାନେ ଦେଶର ସେବା କରିବା ସହିତ ନାଗରିକଙ୍କ ରକ୍ଷା ବି କରିବେ । ଏହି ଦୃଷ୍ଟିରୁ ଆପଣ ଏହି ଅମୃତକାଳର ରକ୍ଷକ ବି ଅଟନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏଥର ରୋଜଗାର ମେଳାର ଆୟୋଜନ ଏକ ଏପରି ସମୟରେ ହେଉଛି ଯେଉଁ ସମୟରେ ଦେଶର ପ୍ରତି ନାଗରିକଙ୍କ ମନ ମଧ୍ୟରେ ଅଦ୍ଭୁତପୂର୍ବ ଆତ୍ମବିଶ୍ୱାସ ଭରି ରହିଛି । ଆମର ଚନ୍ଦ୍ରଯାନ ଓ ଏହାର ରୋଭର ପ୍ରଜ୍ଞାନ ଲଗାତର ଚନ୍ଦ୍ରପୃଷ୍ଠରୁ ଐତିହାସିକ ଫଟୋ ପଠାଇବାରେ ଲାଗିଛି । ଏପରି ଏକ ସମୟରେ ଆପଣମାନେ ନିଜ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ସେନାରେ ଯୋଗ ଦେଇ, ପ୍ରତିରକ୍ଷା ବିଭାଗ ସହ ନିଜକୁ ଜଡିତ କରି, ପୋଲିସ ସେବାରେ ଦାୟିତ୍ୱ ଗ୍ରହଣ କରି ପ୍ରତି ଯୁବକର ସ୍ୱପ୍ନ ହୋଇଥାଏ ଦେଶ ରକ୍ଷାର ପ୍ରହରୀ ପାଲଟିବ । ଏଣୁ ଆପଣମାନଙ୍କ ଉପରେ ଦେଶର ବଡ ଦାୟିତ୍ୱ ରହିଛି । ତେଣୁ ଦେଶର ଯୁବଶକ୍ତିର ଆବଶ୍ୟକତା ପ୍ରତି ଆମ ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି ଆଗାମୀ ଏକ ଦଶକ ମଧ୍ୟରେ ଭାରତ ବିଶ୍ୱର ଶୀର୍ଷ ୩ ପ୍ରଭାବଶାଳୀ ଦେଶ ମଧ୍ୟରେ ସ୍ଥାନ ପାଇବ । ସେ କହିଛନ୍ତି ଏଥିନେଇ ମୁଁ ଗ୍ୟାରେଣ୍ଟୀ ବି ଦେଉଛି । ଏହି ରୋଜଗାର ମେଳା ସାରା ଦେଶରେ ୪୫ ଗୋଟି ସ୍ଥାନରେ ଆୟୋଜନ କରାଯାଉଛି । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସିଆରପିଏଫ୍, ବିଏସଏଫ୍, ଏସଏସବି, ଆସାମ ରାଇଫଲ୍ସ, ସିଆଇଏସଏଫ୍୍, ଆଇଟିବିପି, ଏନସିବି ସହିତ ଦିଲ୍ଲୀ ପୋଲିସରେ ଭର୍ତ୍ତି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ନବନିଯୁକ୍ତ କର୍ମୀଙ୍କୁ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଏକ ଅନଲାଇନ୍ ମଡ୍ୟୁଲ ‘କର୍ମଯୋଗୀ ପ୍ରାରମ୍ଭ’ ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରିବାର ସୁଯୋଗ ମିଳିବ ।

Get real time updates directly on you device, subscribe now.